୧୫ ଯାଏ ପ୍ରବଳ ବର୍ଷା

ଭୁବନେଶ୍ୱର, ୧୨।୮(ବ୍ୟୁରୋ): ବଙ୍ଗୋପସାଗର ଏବଂ ତତ୍‌ସଂଲଗ୍ନ ଓଡ଼ିଶା ଉପକୂଳରେ ରହିଥିବା ଲଘୁଚାପ ବଳୟ ଏବେ ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ଓ ତତ୍‌ସଂଲଗ୍ନ ଅଞ୍ଚଳ ଉପରେ ପରିବ୍ୟାପ୍ତ ହୋଇ ରହିଛି। ଏଥିସହ ଜଡ଼ିତ ଘୂର୍ଣ୍ଣିବଳୟ ବର୍ତ୍ତମାନ ସମୁଦ୍ର ପତ୍ତନଠାରୁ ୨.୧ କିମି ଉଚ୍ଚତା ପର୍ଯ୍ୟନ୍ତ ପରିବ୍ୟାପ୍ତ ହେବା ସହ ଲଘୁଚାପ ଓଡ଼ିଶା ଉପକୂଳରୁ ଦୂରେଇ ଯାଇଛି। ତେଣୁ ଏବେ ରାଜ୍ୟରେ ଆଉ ଅତି ପ୍ରବଳ ବର୍ଷାର ସମ୍ଭାବନା ନାହିଁ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। କିନ୍ତୁ ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବାରୁ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ। ସେଥିପାଇଁ ପାଣିପାଗ କେନ୍ଦ୍ର କେତେକ ଜିଲାକୁ ୟେଲୋ ୱାର୍ନିଂ ଜାରି କରିଛି। ତେବେ ୧୫ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ରାଜ୍ୟରେ ଆସନ୍ତା ୪ଦିନ ଅର୍ଥାତ୍‌ ୧୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୨ତାରିଖରେ ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ଅନୁଗୋଳ, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ବରଗଡ଼ ଓ ସୁବର୍ଣ୍ଣପୁରରେ ପ୍ରବଳ ବର୍ଷା ହେବ ଏବଂ ଅଧିକାଂଶ ଜିଲାରେ ଝଡ଼ତୋଫୋନ ସହ ବଜ୍ରପାତ ହେବାର ଆଶଙ୍କା ରହିଛି। ୧୩ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ସମ୍ବଲପୁର, ବରଗଡ଼, ଅନୁଗୋଳ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କନ୍ଧମାଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୧୪ ତାରିଖରେ ଜଗତ୍‌ସିଂହପୁର, କଟକ, ଅନୁଗୋଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ସମ୍ବଲପୁର, କଳାହାଣ୍ଡି, ନବରଙ୍ଗପୁର, ଗଞ୍ଜାମ ଏବଂ ୧୫ତାରିଖରେ ନୂଆପଡ଼ା, କଳାହାଣ୍ଡି, ବୌଦ୍ଧ, ମୟୂରଭଞ୍ଜ, ଅନୁଗୋଳ, ଝାରସୁଗୁଡ଼ା, ନବରଙ୍ଗପୁରରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ଏ ସମସ୍ତ ଜିଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ନିଂ ଜାରି ହୋଇଛି। ଅନ୍ୟପକ୍ଷେ ଗତ ୨୪ଘଣ୍ଟାରେ କେବଳ ମାଲକାନଗିରିରେ ୧୫.୨ ମି.ମି. ଓ କୋରାପୁଟରେ ୪ ମି.ମି. ବର୍ଷା ହୋଇଥିବା ରେକର୍ଡ କରାଯାଇଛି।