ଭୁବନେଶ୍ୱର, ୨୮।୭(ବନ୍ଦନା ସେଠୀ):ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ପଶ୍ଚିମବଙ୍ଗ- ଉତ୍ତର ଓଡ଼ିଶା ଉପକୂଳ ସଂଲଗ୍ନ ଅଞ୍ଚଳରେ ସକ୍ରିୟ ଥିବା ଗଭୀର ଅବପାତ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ପ୍ରାୟ ୩ କିଲୋମିଟର ବେଗରେ ଧୀରେ ଧୀରେ ଉତ୍ତର ଦିଗକୁ ଗତି କରିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ତଥ୍ୟ ଅନୁଯାୟୀ, ସୋମବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା ଏହାର କେନ୍ଦ୍ର ୨୧.୫ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୮୮.୧ ଡିଗ୍ରୀ ପୂର୍ବ ଦ୍ରାଘିମାରେ ଅବସ୍ଥିତ ଥିଲା। ଏହା ସାଗର ଦ୍ୱୀପରୁ ପ୍ରାୟ ୨୦ କି.ମି. ଦକ୍ଷିଣ-ଦକ୍ଷିଣପୂର୍ବ, ଦୀଘାରୁ ୬୦ କି.ମି. ପୂର୍ବ-ଦକ୍ଷିଣପୂର୍ବ, ଡାଇମଣ୍ଡ ହାର୍ବରରୁ ୮୦ କି.ମି. ଦକ୍ଷିଣ-ଦକ୍ଷିଣ ପଶ୍ଚିମ, କ୍ୟାନିଂରୁ ୧୦୦ କି.ମି. ଦକ୍ଷିଣ-ପଶ୍ଚିମ ଏବଂ ବାଲେଶ୍ୱରରୁ ୧୨୦ କି.ମି. ପୂର୍ବରେ ରହିଥିଲା। ତେବେ ଗଭୀର ଅବପାତ ଉତ୍ତର ଦିଗକୁ ଗତି କରି ସାଗର ଦ୍ୱୀପ ନିକଟ ଦେଇ ବାଲେଶ୍ୱର ଓ କ୍ୟାନିଂ ମଧ୍ୟରେ ହଳଦିଆ ନିକଟରେ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତଜନିତ ସମ୍ଭାବ୍ୟ ବର୍ଷାକୁ ନେଇ ୯ଜିଲାକୁ ସତର୍କ ସୂଚନା ଜାରି କରାଯାଇଛି। ସବୁପ୍ରକାର ପରିସ୍ଥିତିର କିଭଳି ମୁକାବିଲା କରାଯାଇପାରିବ ସେନେଇ ସଜାଗ ରହିବା ଲାଗି ସମ୍ପୃକ୍ତ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ସୋମବାର ଲୋକସେବା ଭବନସ୍ଥିତ ରାଜସ୍ବ ସମ୍ମିଳନୀ କକ୍ଷରେ ଜିଲାଭିତ୍ତିକ ପ୍ରସ୍ତୁତିର ଆକଳନ କରିବା ଅବସରରେ ମନ୍ତ୍ରୀ କହିଛନ୍ତି, ସମସ୍ତ ଜିଲା ପ୍ରଶାସନକୁ ୨୪ ଘଣ୍ଟିଆ ସତର୍କତା ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଅନୁମାନ କରାଯାଇଥିଲା। ରାଜ୍ୟର ୯ଟି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅନୁମାନ କରାଯାଉଛି। ସେସବୁ ଜିଲାରେ ‘ରେଡ୍ ଆଲର୍ଟ’ ଜାରି କରାଯାଇଛି। ବୈଠକରେ ଅତିରିକ୍ତ ସ୍ବତନ୍ତ୍ର ରିଲିଫ କମିଶନର ପଦ୍ମନାଭ ବେହେରା, ଯୁଗ୍ମ ସ୍ବତନ୍ତ୍ର ରିଲିଫ କମିଶନର ସ୍ନିଗ୍ଧା ଚମ୍ପତିରାୟ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।