ନୂଆଦିଲ୍ଲୀ,୨ା୫: ଦିଲ୍ଲୀ ସମେତ ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ଶୁକ୍ରବାର ଲଗାଣ ବର୍ଷା ଯୋଗୁ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁ ରାସ୍ତା ଜଳାର୍ଣ୍ଣବ ହୋଇଛି। ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳରେ ବର୍ଷା ପବନରେ ବହୁ ଗଛ ଉପୁଡ଼ି ପଡ଼ିଛି। ଦିଲ୍ଲୀର ନଜଫଗଡ଼ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ଘର କାନ୍ଥ ଭୁଶୁଡ଼ି ଜଣେ ୨୮ ବର୍ଷୀୟ ମହିଳା ଓ ତାଙ୍କର ୩ ପିଲାଙ୍କ ମୃତ୍ୟୁ ଘଟିଛି।
ସେହିପରି ଦ୍ୱାରକା ଛାଓ୍ବଲା ଅଞ୍ଚଳରେ କାନ୍ଥ ପଡ଼ି ୩ ଜଣ ଆହତ ହୋଇଛନ୍ତି। ଦିଲ୍ଲୀ, ଗୁରୁଗ୍ରାମ, ଫରିଦାବାଦ ଏବଂ ମଥୁରାରେ ରାସ୍ତା ଜଳାର୍ଣ୍ଣବ ହୋଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଟ୍ରାଫିକ୍ ଜାମ୍ ଯୋଗୁ ବିଭିନ୍ନ ରାସ୍ତାରେ ଗାଡ଼ିଗୁଡ଼ିକର ଲମ୍ବା ଧାଡ଼ି ଲାଗିରହିଥିଲା।
ଦିଲ୍ଲୀର ମିଣ୍ଟୋ ବ୍ରିଜ୍, ଆଇଟିଓ, ଆର୍.କେ.ପୁରମ୍ର ମେଜର ସୋମନାଥ ମାର୍ଗ ଏବଂ କାନପୁରରେ ରାସ୍ତାଘାଟ ପାଣିରେ ବୁଡ଼ିରହିଥିବାରୁ ଟ୍ରାଫିକ୍ ଜାମ୍ ହୋଇଛି। ବର୍ଷା ପବନ ଯୋଗୁ ଦିଲ୍ଲୀରେ ଅବତରଣ କରିବାକୁ ଥିବା ୩ଟି ବିମାନକୁ ଜୟପୁର ଓ ଅହମଦାବାଦ ଏୟାରପୋର୍ଟକୁ ପଠାଯାଇଥିବା ବେଳେ ୨୦୦ରୁ ଊର୍ଦ୍ଧ୍ୱ ବିମାନ ଉଡ଼ାଣରେ ବିଳମ୍ବ ହୋଇଥିଲା।

