ଭୁବନେଶ୍ୱର, ୨୮।୧୦ (ବନ୍ଦନା ସେଠୀ): ଦୀର୍ଘ ୬ଘଣ୍ଟା ୩୦ ମିନିଟର (ମଙ୍ଗଳବାର ରାତି ୨ଟାରୁ ବୁଧବାର ସକାଳ ୮ ଟା ୩୦) ସଂଘର୍ଷ ପରେ ବାତ୍ୟା ‘ଅର୍ଣ୍ଣବ’ ଆନ୍ଧ୍ର ପ୍ରଦେଶର ୟାନମ୍ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି। ଉପକୂଳ ଅତିକ୍ରମ ସମୟରେ ଏହା ଦୁର୍ବଳ ହୋଇ ଅତି ଭୀଷଣ ବାତ୍ୟାରୁ ଭୀଷଣ ବାତ୍ୟାରେ ପରିଣତ ହୋଇଥିଲା। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୨୫ ରୁ ୧୩୫ କିଲୋମିଟର ରହିଥିଲା। ଏଥିସହ ଝଟକା ସହ ଘଣ୍ଟା ପ୍ରତି ୧୫୦ କିଲୋମିଟର ରହିଥିଲା। ବୁଧବାର ଅପରାହ୍ନ ପରଠାରୁ ଏହା ଧୀରେଧୀରେ ଉତ୍ତର ଆଡକୁ ଆନ୍ଧ୍ରପ୍ରଦେଶ ଦେଇ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲା ଯଥା ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଏବଂ ଛତିଶଗଡ଼ ଆଡ଼କୁ ମୁହଁାଇଛି। ତେବେ ବୁଧବାର ରାତି ସୁଦ୍ଧା ଅର୍ଣ୍ଣବ ଆହୁରି ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ ଏବଂ ପବନର ବେଗ ମଧ୍ୟ ପୂର୍ବାପେକ୍ଷା କମିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଗୁରୁବାର ସକାଳେ ଏହା ଆହୁରି ଦୁର୍ବଳ ହୋଇ ଛତିଶଗଡ଼ ଉପରେ ଅବପାତ ବା ଡିପ୍ରେଶନ ଭାବେ କେନ୍ଦ୍ରୀଭୂତ ହେବ। ସେତେବେଳେ ପବନର ବେଗ ସର୍ବାଧିକ ୬୦ କିଲୋମିଟର ପ୍ରତି ଘଣ୍ଟା ରହିବ। ଗୁରୁବାର ପବନର ବେଗ କମିବ ଏବଂ କେବଳ ଉତ୍ତର ଓଡ଼ିଶାର ଝାରସୁଗୁଡା, ସୁନ୍ଦରଗଡ଼, ସମ୍ବଲପୁର, ମୟୂରଭଞ୍ଜ, ଦେବଗଡ଼ ଆଦି ଜିଲାଗୁଡ଼ିକରେ ବର୍ଷା ହେବା ସହିତ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଆଇଏମ୍ଡି ଡିଜି କହିଛନ୍ତି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ରାଜ୍ୟର ବିଭିନ୍ନ ଜିଲାରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିବ। ତେବେ ସୁନ୍ଦରଗଡ଼, ଝାରସୁଗୁଡା ଏବଂ ବରଗଡ଼ ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଏହି ସମୟରେ ପବନର ବେଗ ସର୍ବାଧିକ ୬୦ କିଲୋମିଟର ରହିବ। ସେହିପରି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ସମ୍ବଲପୁର, ନୂଆପଡ଼ା, ବଲାଙ୍ଗୀର, ସୋନପୁର ଏବଂ ଦେବଗଡ଼ ଜିଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ସେହିପରି ପାଣିପାଗ କେନ୍ଦ୍ରର ରେକର୍ଡ ଅନୁଯାୟୀ ଗତ ୨୪ ଘଣ୍ଟାରେ ଗଜପତି ଜିଲା ମହେନ୍ଦ୍ରଗିରିଠାରେ ସର୍ବାଧିକ ୨୪୯.୯ ମି.ମି. ବର୍ଷା ରେକର୍ଡ ହୋଇଥିଲା। କୋରାପୁଟ ଜିଲା ପଟ୍ଟାଙ୍ଗୀଠାରେ ୧୮୮ ମି.ମି., ଗଜପତି ଜିଲା ମୋହନାଠାରେ ୧୬୮.୮ ମି.ମି., ଗଞ୍ଜାମରେ ୧୬୧.୪ ମି.ମି., କୋରାପୁଟର ସିମିଳିଗୁଡାଠାରେ ୧୪୩.୧ ମି.ମି., ଗଞ୍ଜାମର ଦିଗପହଣ୍ଡିଠାରେ ୧୩୯.୫ ମି.ମି., ଗଜପତିର ଗୁମ୍ମାଠାରେ ୧୩୫ ମି.ମି., ଗଞ୍ଜାମର ବ୍ରହ୍ମପୁରଠାରେ ୧୩୧.୪ ମି.ମି., ଗଜପତିର ଗୋଷାଣୀରେ ୧୨୮ ମି.ମି., ଗଞ୍ଜାମର କୁକୁଡାଖଣ୍ଡିଠାରେ ୧୨୭ ମି.ମି., ସାନଖେମୁଣ୍ଡିରେ ୧୧୪ ମି.ମି., ଗଜପତିର କାଶୀନଗରରେ ୧୦୭.୨ ମି.ମି. ବର୍ଷା ରେକର୍ଡ ହୋଇଥିଲା।

