ଦାରିଙ୍ଗବାଡି, ୯।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗ୍ରୀନବାଡି ପଞ୍ଚାୟତ କୁତୁବାଡି ରାସ୍ତା ପାଲଟିଛି ମରଣଯନ୍ତା। ଉକ୍ତ ପଞ୍ଚାୟତର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରୁ ଓଡିଶା ଆଦର୍ଶ ବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। ଗୋଟିଏ ପଟେ ଦୀର୍ଘ ୧୫ ଦିନ ହେଲାଣି ଲଗୁଚାପ ଜନିତ ବର୍ଷା ଯୋଗୁ ଏବେ ଗାଁକୁ ସଂଯୋଗ କରୁଥିବା ମାଟି ରାସ୍ତା ଗୁଡିକର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ବେଳେ ଉକ୍ତ ରାସ୍ତା ମଧ୍ୟ କାଦୁଅ ଅଚପଚ ହୋଇପଡିଛି। ଫଳରେ ଗାଁ ଲୋକ ଯାତାୟାତ କରିପାରୁ ନ ଥିବା ବେଳେ କୁତୁବାଡି ବିଦ୍ୟାଳୟ ସମେତ ଓଡିଶା ଆଦର୍ଶ ବିଦ୍ୟାଳୟ ଏବଂ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଛାତ୍ରୀଛାତ୍ରଙ୍କ ଅବସ୍ଥା ଶୋଚନୀୟ ହୋଇପଡୁଛି। ରାସ୍ତା ଏତେ କାଦୁଅରେ ଲଟପଟ ହେଉଛି। ପାଦରେ ଚାଲିକି ଯିବା ଆସିବା କରିବା ମୁସ୍କିଲ ହେଉଥିବା ଉକ୍ତ ଅଞ୍ଚଳର ବୁଦ୍ଧିଜୀବୀ ସୁନୀଲ ପ୍ରଧାନ, ସିକନ୍ଦର ନାୟକ, ବୁଲୁ ଦିଗାଲ ପ୍ରମୁଖ ଅଭିଯୋଗ କରିଛନ୍ତି।
କେବଳ ବିଦ୍ୟାଳୟ ପାଇଁ ସମସ୍ୟା ନୁହେଁ, ସ୍ବାସ୍ଥ୍ୟକେନ୍ଦ୍ର ଯିବା, ସରକାରୀ ଓ ବେସରକାରୀ କାର୍ଯ୍ୟ ସମେତ ସେହି ରାସ୍ତାରେ ଜରୁରୀକାଳୀନ ସ୍ବାସ୍ଥ୍ୟସେବା ପାଇଁ ଆମ୍ବୁଲାନ୍ସ ମଧ୍ୟ ସେହି ରାସ୍ତାରେ ଯାତାୟାତ କରିପାରୁ ନ ଥିବା ଜଣାପଡିଛି। ଶୀଘ୍ର ଉକ୍ତ ରାସ୍ତାକୁ ମରାମତି କରିବା ପାଇଁ କୁତୁବାଡି ଗ୍ରାମ ସମେତ ଗ୍ରୀନବାଡି ଅଞ୍ଚଳବାସୀ ଦାବି କରିଛନ୍ତି।


