ଛତ୍ରପୁର,୨୮।୧୦(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଛତ୍ରପୁର ଅଞ୍ଚଳରେ ବିଗତ ଦୁଇ ଦିନ ହେଲା ପ୍ରବଳ ବର୍ଷା ସାଙ୍ଗକୁ ପବନ ଜାରି ରହିଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ସ୍ଥାନୀୟ ଚାଷୀଙ୍କ ଚିନ୍ତା ବହୁଗୁଣିତ ହୋଇଯାଇଛି। ବର୍ଷା ଓ ପବନକୁ ଖାତିର ନକରି ଚାଷୀମାନେ ନିଜ ଜମିକୁ ଯାଇ ନଷ୍ଟ ହେଉଥିବା ଫସଲକୁ ବଞ୍ଚାଇବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଥିବା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ ଯେ, ଗତ ମାସରେ ହୋଇଥିବା ଲଗାଣ ବର୍ଷା ଯୋଗୁ ଅଞ୍ଚଳର ବହୁ ଚାଷଜମି ଦୀର୍ଘଦିନ ଧରି ଜଳମଗ୍ନ ରହିବା ସହ ବ୍ୟାପକ ଫସଲ ନଷ୍ଟ ହୋଇଥିଲା। ଚାଷୀମାନେ ଅନେକ କଷ୍ଟ ସହି ଅବଶିଷ୍ଟ ଫସଲକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରୁଥିବା ବେଳେ ଏବେ ପୁଣି ବାତ୍ୟା ‘ଅର୍ଣ୍ଣବ’ ସେମାନଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ବର୍ଷା ଓ ପ୍ରବଳ ପବନ ଯୋଗୁ ଅମଳକ୍ଷମ ଧାନଗଛଗୁଡ଼ିକ ଭାଙ୍ଗି ମାଟିରେ ଲୋଟିପଡ଼ିଛି।
ବିଶେଷକରି ବଡ଼ମାଧପୁର ଅଞ୍ଚଳର ବହୁ ଚାଷଜମିରେ ପବନର ମାଡ଼ରେ ଧାନଗଛଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ତଳେ ପଡ଼ିଯାଇଥିବା ଦେଖାଯାଇଛି। ଯଦି ବର୍ଷା ଏହିପରି ଜାରି ରହେ, ତେବେ ତଳେ ପଡ଼ିଥିବା ଧାନଗଛରେ ପାଣି ଜମି ଫସଲ ଗଜା ହୋଇଯିବା ସହ ସମ୍ପୂର୍ଣ୍ଣ ପଚି ନଷ୍ଟ ହୋଇଯିବାର ଆଶଙ୍କା ପ୍ରକାଶ ପାଇଛି। ଏହାକୁ ନେଇ ସ୍ଥାନୀୟ ଚାଷୀକୁଳ ନିଜର ବର୍ଷକର ଆହାର ହରାଇବା ଭୟରେ ଗଭୀର ଚିନ୍ତାରେ ଦିନ କାଟୁଛନ୍ତି।