୧୯ ଯାଏ ଘନ କୁହୁଡ଼ି

ଭୁବନେଶ୍ୱର,୧୭।୧(ବ୍ୟୁରୋ): ପ୍ରଚୁର ଜଳୀୟବାଷ୍ପର ଉପସ୍ଥିତି ଓ ବାୟୁମଣ୍ଡଳର ସ୍ଥିରତା ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ୩ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ିର ଆଶଙ୍କା ରହିଛି। ଏଥିପାଇଁ ଦୃଶ୍ୟମାନ ଦୂରତା ୨୦୦ ମିଟରରୁ କମ୍‌ ରହିପାରେ। ଫଳରେ ମଧ୍ୟରାତ୍ରରୁ ସକାଳ ଯାଏ ଯାତାୟାତର ସମସ୍ୟା ଉପୁଜିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏଥିସହ ୩ ରୁ ୪ ଡିଗ୍ରୀ ତଳକୁ ରାତ୍ରି ତାପମାତ୍ରା ଖସିବ ଓ ଶୀତ ବଢ଼ିବ। ଏଥିପାଇଁ ୧୭ ରୁ ୧୯ ତାରିଖ ପର୍ଯ୍ୟନ୍ତ କେତେକ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। ଏନେଇ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି) ସମସ୍ତ ଜିଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖି ଘନ କୁହୁଡ଼ି ସମୟରେ ରାସ୍ତା ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଉଚିତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ସୋମବାର କୋରାପୁଟ, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ ଓ ସୋନପୁରରେ ଘନ କୁହୁଡ଼ି ହେବ। ସେହିଭଳି ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସ୍ବଳ୍ପ କୁହୁଡ଼ି ହେବ। ମଙ୍ଗଳବାର ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼, କଟକ, ଅନୁଗୋଳ ଓ ଢେଙ୍କାନାଳ ଏବଂ ବୁଧବାରଠାରୁ ଗୁରୁବାର ସକାଳ ସାଢ଼େ ୮ ପର୍ଯ୍ୟନ୍ତ ମାଲକନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ନୟାଗଡ଼, କଟକ, ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ କେନ୍ଦୁଝରରେ ଘନ କୁହୁଡ଼ି ହେବ।