କମିଲା ଶୀତ: ୮ ଜିଲାରେ ପ୍ରବଳ କୁହୁଡ଼ି ସମ୍ଭାବନା

ଭୁବନେଶ୍ୱର,୨୭ା୧୨(ବ୍ୟୁରୋ): ଓଡ଼ିଶା ଉପକୂଳରେ ଗୁରୁଚାପ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ରାଜ୍ୟ ଭିତରକୁ ପ୍ରଚୁର ପରିମାଣରେ ଜଳୀୟ ବାଷ୍ପ ପ୍ରବେଶ କରୁଛି। ଏଥିଯୋଗୁ ଗତ କିଛିଦିନ ଧରି ଲାଗିରହିଥିବା ଥଣ୍ଡା ଗାଏବ ହୋଇଯାଇଛି। ସର୍ବନିମ୍ନ ତାପମାତ୍ରା ୪ରୁ ୫ ଡିଗ୍ରୀ ସେଲ୍‌ସିୟସ୍‌ ବଢ଼ି ଯାଇଛି। ଏଥିସହିତ ରାଜ୍ୟର ବିଭିନ୍ନ ଭାଗରେ ପ୍ରବଳ କୁହୁଡ଼ି ହେବ ବୋଲି ପାଣିପାଗ ବିଭାଗ ସତର୍କ କରିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ କନ୍ଧମାଳ ଜିଲାରେ ପ୍ରବଳ କୁହୁଡ଼ି ହେବାର ସମ୍ଭାବନା ରହିଛି। ସୋମବାର ରାଜ୍ୟରେ ଶୀତ ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କେବଳ କୋରାପୁଟରେ ୯ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀ ୧୦ ଓ ରାଜ୍ୟର ଅନ୍ୟାନ୍ୟ ସହରରେ ୧୧ ଡିଗ୍ରୀ ସେଲସିୟସ୍‌ ଉପରେ ରହିଛି।