Categories: ଗଞ୍ଜାମ

ଆକାଶରୁ ବର୍ଷୁଛି ନିଆଁ: ଜଗନ୍ନାଥପ୍ରସାଦ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ

ଜଗନ୍ନାଥପ୍ରସାଦ,୧୭।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଅଞ୍ଚଳରେ ଶୁକ୍ରବାର ଅତ୍ୟଧିକ ଗ୍ରୀଷ୍ମତାପ ଦେଖିବାକୁ ମିଳିଛି। ମଧ୍ୟାହ୍ନ ୧ଟାରୁ ୨ଟା ମଧ୍ୟରେ ତାପମାତ୍ରା ୪୧ରୁ ୪୩ ଡିଗ୍ରୀ ରହିଥିବା ଜଣାପଡ଼ିଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଆକାଶରୁ ନିଆଁ ବର୍ଷୁଥିବା ଜନସାଧାରଣ ପ୍ରକାଶ କରିଛନ୍ତି। ଖରାକୁ ଦୃଷ୍ଟିରେ ରଖି ଲୋକମାନେ ବାହାରକୁ ନ ବାହାରିବାକୁ ଶ୍ରେୟ ମନେ କରୁଛନ୍ତି। ଏଣୁ ରାସ୍ତାଘାଟ ଶୂନଶାନ ରହିଛି। ଖରା ଯୋଗୁ ଅଞ୍ଚଳରେ ଥିବା ଅନେକ ଜଳଭଣ୍ଡାର ଶୁଖିଯିବାରୁ ଅଞ୍ଚଳବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାସତ୍ତ୍ୱେ ପ୍ରଶାସନ ପକ୍ଷରୁ ଅଥବା ପଞ୍ଚାୟତ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଜଳଛତ୍ର ବ୍ୟବସ୍ଥା କରାଯାଇ ନ ଥିବାରୁ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି।