ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣିଲେ ଜିଲାପାଳ, ତାଗିଦ୍‌ କରି ଅଧିକାରୀଙ୍କୁ କହିଲେ ଯଦି କିଛି ସମସ୍ୟା ଅଛି…

ଭଞ୍ଜନଗର,୧ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ସୋମବାର ଭଞ୍ଜନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଉପଖଣ୍ଡର ବିଭିନ୍ନ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ। ଏହି ସମୟରେ କିଛି ଲୋକ ନିଜର ସମସ୍ୟା ଜଣାଇବାକୁ ଜିଲାପାଳଙ୍କ ପାଖକୁ ଆସିଥିଲେ। ସମସ୍ୟାର ସମାଧାନ କରିବା ପାଇଁ ଜିଲାପାଳ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟରେ ଉକ୍ତ କର୍ମଚାରୀ ଜଣଙ୍କ ବିଭିନ୍ନ ଆଳ ଦେଖାଇ ଆସିଥିବା ଅଭିଯୋଗକୁ ଏଡ଼ାଇବା ପାଇଁ ଚେଷ୍ଟା କରିଥିଲେ। ଏଥିରେ ଜିଲାପାଳ ବିରକ୍ତିଭାବ ପ୍ରକାଶ କରି ଲୋକଙ୍କୁ ପଥଭ୍ରଷ୍ଟ ନ କରିବା ପାଇଁ କହିଥିଲେ। ଯଦି କିଛି ସମସ୍ୟା ଅଛି ଜଣାଇଲେ ତା’ର ସମାଧାନ କରାଯିବ। କିନ୍ତୁ ଯୋଗ୍ୟ ଲୋକଙ୍କୁ ତ୍ୱରିତ ନ୍ୟାୟ ଯୋଗାଇ ଦେବା ପାଇଁ ପରାମର୍ଶ ଦେଇଥିଲେ।

ସେହିଭଳି କଂଗ୍ରେସ ନେତା କୁଲୁ ଭୂୟାଁ, ମଣ୍ଟୁ ପ୍ରଧାନ ପ୍ରମୁଖ ଜିଲାପାଳଙ୍କୁ ଭେଟି ଭତ୍ତା ସମେତ କିଛି ବିଲ୍‌ ପାସ୍‌ ହେଉ ନ ଥିବା ଅଭିଯୋଗ କରିଥିଲେ। ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲାପାଳ ଭଞ୍ଜନଗର ବିଡିଓ ଭାରତୀ ଦେବୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଆଜି ଭତ୍ତା, ଜମିବାଡ଼ି, ପେନ୍‌ସନ୍‌ ପ୍ରମୁଖ ସମସ୍ୟା ନେଇ ଲୋକେ ଆସିଥିଲେ।

ଜିଲାପାଳଙ୍କ ଅଭିଯୋଗ ଶୁଣାଣି ସମୟରେ ଗଞ୍ଜାମ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର ଜେନା, ପ୍ରୋବେସନର ଆଇଏଏସ ଅଧିକାରିଣୀ, ଉପଜିଲାପାଳ ଉମାଶଙ୍କର ବେହେରା, ଡିଏଫ୍‌ଓ ହିମାଂଶୁ ଶେଖର ମହାନ୍ତି, ଅତିରିକ୍ତ ଉପଜିଲାପାଳ ପ୍ରଧାନ ଟୁଲିଆମା, ବିଡିଓ ଭାରତୀ ଦେବୀ, ତହସିଲଦାର ଅଭୀପ୍ସା ପଟ୍ଟନାୟକ, ଜିଲାପଞ୍ଚାୟତ ଅଧିକାରୀ ପ୍ରହଲ୍ଲାଦ ପ୍ରଧାନ, ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସଞ୍ଜୟ ପ୍ରଧାନ, ଏଏସ୍‌ପି ରଞ୍ଜନ କୁମାର ଦେ, ଆଞ୍ଚଳିକ ପରିବହନ ଅଧିକାରୀ ଭାଗୀରଥି ନାୟକ, ଏସ୍‌ଡିପିଓ ଡ. ଦୀପକ କୁମାର ମିଶ୍ର, ନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଣ ପଣ୍ଡା, ଡେପୁଟୀ କଲେକ୍ଟର ରାମଚନ୍ଦ୍ର ମହାପାତ୍ର, ମେଡିକାଲ ଅଧୀକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ।

ଏହାପରେ ଜିଲାପାଳ ଗାମୁଣ୍ଡୀ ଗ୍ରାମକୁ ଯାଇ ସେଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଏଥିସହ ପଞ୍ଚାୟତରେ ଚାଲିଥିବା ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟ ଯଥାଶୀଘ୍ର ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟରେ ଉପଜିଲାପାଳ, ବିଡିଓ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ନିତ୍ୟାନନ୍ଦ ପାତ୍ର, ସହକାରୀ ଯନ୍ତ୍ରୀ ରବୀନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Share