ଭଞ୍ଜନଗର,୭।୯(ବାବୁଲା ପ୍ରଧାନ): ଅସହାୟଙ୍କ ପାଖରେ ପହଞ୍ଚିଲା ପ୍ରଶାସନ। ମାନବିକତାର ଏକ ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି ଗଞ୍ଜାମ ଜିଲାପାଳ କୀର୍ତ୍ତି ଭାସନ ଭି। ଭଞ୍ଜନଗର ଉପଖଣ୍ଡ ସାନକୋଦଣ୍ଡା ପଞ୍ଚାୟତ ଅନ୍ତର୍ଗତ ଗମ୍ଭାରୀଗୋଛା ଗ୍ରାମର ଶଯ୍ୟାଶାୟୀ ଅମୂଲ୍ୟ ଗୌଡ଼ଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇ ଜିଲାପାଳ ରେଡକ୍ରସ ପାଣ୍ଠିରୁ ତାଙ୍କୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ସୋମବାର
ଯୋଗାଇ ଦେଇଛନ୍ତି।
ଅମୂଲ୍ୟ ଦୀର୍ଘଦିନ ଧରି ଶାରୀରିକ ଅସୁସ୍ଥତା କାରଣରୁ ଶଯ୍ୟାଶାୟୀ ଅବସ୍ଥାରେ ରହିଆସୁଛନ୍ତି। ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ତାଙ୍କ ଚିକିତ୍ସା, ଔଷଧ ଓ ଦୈନନ୍ଦିନ ଆବଶ୍ୟକତା ପୂରଣ ପରିବାର ପାଇଁ କଷ୍ଟକର ହୋଇପଡ଼ିଛି।
ଅମୂଲ୍ୟଙ୍କ ପରିବାର ପକ୍ଷରୁ ଭିନ୍ନକ୍ଷମ ପ୍ରମାଣପତ୍ର ପାଇଁ ଆବେଦନ କରାଯାଇଥିଲା। ଆବେଦନ ପରେ ଆବଶ୍ୟକ ପ୍ରଶାସନିକ ଓ ଡାକ୍ତରୀ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଘଟଣା ସମ୍ପର୍କରେ ଜାଣିବା ପରେ ଜିଲାପାଳ ଅମୂଲ୍ୟଙ୍କ ପରିବାରକୁ ତୁରନ୍ତ ସହାୟତା ଯୋଗାଇବା ସହ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ ପ୍ରକ୍ରିୟା ଶୀଘ୍ର ସମ୍ପନ୍ନ କରିବାକୁ ସ୍ବାସ୍ଥ୍ୟ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲାପାଳଙ୍କ ଏହି ସହାୟତା ଅମୂଲ୍ୟଙ୍କ ଚିକିତ୍ସା ଓ ଔଷଧ ଖର୍ଚ୍ଚରେ କିଛି ମାତ୍ରାରେ ଆଶ୍ୱସ୍ତି ଆଣିବ ବୋଲି ପରିବାର ପକ୍ଷରୁ କୁହାଯାଇଛି।
ଏହି ଅବସରରେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କ ସମେତ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
ଜିଲ୍ଲାପାଳଙ୍କ ଏହି ମାନବିକ ପଦକ୍ଷେପକୁ ଅମୂଲ୍ୟଙ୍କ ପରିବାର ସମେତ ଗ୍ରାମବାସୀ ପ୍ରଶଂସା କରିଛନ୍ତି। ପ୍ରଶାସନର ଏଭଳି ସମ୍ବେଦନଶୀଳ ପଦକ୍ଷେପ ଅସହାୟ ଓ ଆର୍ଥିକ ଦୁର୍ବଳ ପରିବାରଙ୍କ ମନରେ ଆଶା ଓ ବିଶ୍ୱାସ ସୃଷ୍ଟି କରିଛି।
Dharitri – Odisha’s No.1 Odia Daily

