ଟିକା ନେଉନାହାନ୍ତି ସ୍ବାସ୍ଥ୍ୟକର୍ମୀ

ଭୁବନେଶ୍ୱର, ୩୦।୧(ବ୍ୟୁରୋ): ରାଜ୍ୟରେ ଗତ ୧୬ ତାରିଖରୁ କରୋନା ଟିକାକରଣ ଜାରି ରହିଛି। ବର୍ତ୍ତମାନ କେବଳ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଉଛି। କେତେକ ଜିଲାରେ ଟିକାକରଣର ହାର ଖୁବ୍‌ କମ୍‌ ରହିଥିବାରୁ ରାଜ୍ୟ ସରକାର ଅସନ୍ତୋଷ ପ୍ରକାଶ କରିଛନ୍ତି। ସ୍ବାସ୍ଥ୍ୟକର୍ମୀମାନେ କାହିଁକି ଟିକା ନେଉନାହାନ୍ତି ତାକୁ ନେଇ ଚିନ୍ତା ବଢ଼ିଛି। ଏବେ ଟିକାର ପ୍ରଥମ ଡୋଜ୍‌ ଦିଆଯାଉଛି। ଏହି ପ୍ରକ୍ରିୟା ଫେବୃୟାରୀ ୧୦ରେ ସରିବ। ତେବେ ଗତ ସପ୍ତାହରେ ୯ ଜିଲାରେ ଟିକାକରଣ ସ୍ଥିତି ନୈରାଶ୍ୟଜନକ ରହିଛି। ଦେବଗଡ଼ ଜିଲାରେ ମାତ୍ର ୪୨% ଟିକାକରଣ ହୋଇଥିବାବେଳେ ଖୋର୍ଦ୍ଧା ୬୧%, ଯାଜପୁର ୬୨%, ଜଗତ୍‌ସିଂହପୁର ୬୬%, ନୟାଗଡ଼ ୬୭%, ଭୁବନେଶ୍ବର ମହାନଗର ନିଗମ ୭୬%, କଟକ ୭୬%, ସମ୍ବଲପୁର ୭୭% ଓ କେନ୍ଦୁଝରରେ ୭୮% ହୋଇଛି। ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ସ୍ବାସ୍ଥ୍ୟକର୍ମୀ କିପରି ଟିକା ନେବେ, ତାହା ସୁନିଶ୍ଚିତ କରିବାକୁ ଜିଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ସରକାର ଚିଠି ଲେଖିଛନ୍ତି। ସ୍ବାସ୍ଥ୍ୟକର୍ମୀମାନେ ଧାର୍ଯ୍ୟ ତାରିଖ ମଧ୍ୟରେ ଟିକା ନ ନେଲେ ପରବର୍ତ୍ତୀ ସମୟରେ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଆଉ ମାଗଣା ଟିକା ଦିଆଯିବ ନାହିଁ। ଏ ସମ୍ପର୍କରେ ସ୍ବାସ୍ଥ୍ୟକର୍ମୀଙ୍କୁ ସ୍ପଷ୍ଟ ଭାବେ ଜଣାଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।
ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ, ଏଯାବତ୍‌ ୬୦.୬% ସ୍ବାସ୍ଥ୍ୟକର୍ମୀ ଟିକା ନେଇସାରିଲେଣି। ପ୍ରଥମ ପର୍ଯ୍ୟାୟରେ ୩,୩୮,୭୦୦ଜଣ ଟିକା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ଏର୍ଯ୍ୟନ୍ତ ୨,୦୫,୨୦୦ଜଣଙ୍କୁ ଦିଆଯାଇଛି। ଅନୁଗୋଳ ଜିଲାରେ ସର୍ବାଧିକ ୭୬.୪%ଜଣ ଟିକା ନେଇଛନ୍ତି। ତେବେ ଶୁକ୍ରବାର ୭୧% ଟିକାକରଣ ହୋଇଛି। ୧୫,୭୦୧ ଟିକାକରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ୧୧,୧୪୨ଜଣ ଟିକା ନେଇଛନ୍ତି।
ସେପଟେ ଟିକାକରଣରେ ଓଡ଼ିଶା ଏକ ମାଇଲଷ୍ଟୋନ୍‌ ଛୁଇଁଛି। ଟିକାକରଣ ହାରରେ କେନ୍ଦ୍ରଶାସିତ ଅଞ୍ଚଳ ଲକ୍ଷାଦ୍ୱୀପ ପ୍ରଥମ ସ୍ଥାନରେ ରହିଥିବାବେଳେ ଦେଶର ସମସ୍ତ ରାଜ୍ୟ ମଧ୍ୟରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି। ଯେଉଁ ସ୍ବାସ୍ଥ୍ୟକର୍ମୀମାନେ କେତେକ ଦାବି ରଖି ଟିକା ନେଉ ନ ଥିଲେ, ସେମାନଙ୍କୁ ଗୁରୁବାରଠାରୁ ଟିକା ଦେବା ଆରମ୍ଭ ହୋଇଛି। ତେବେ ଜାନୁୟାରୀ ୩୧ରୁ ଫେବୃୟାରୀ ୨ ପର୍ଯ୍ୟନ୍ତ ପଲ୍‌ସ ପୋଲିଓ କାର୍ଯ୍ୟକ୍ରମ ପାଇଁ ଏହି ୩ ଦିନ କୋଭିଡ୍‌ ଟିକାକରଣ ବନ୍ଦ ରହିବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି। ଅନ୍ୟପକ୍ଷରେ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକାକରଣରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ତୋଷ ବ୍ୟକ୍ତ କରିଛନ୍ତି।