ସ୍କ୍ରବ୍‌ ଟାଇଫସ୍‌କୁ ନେଇ ଏମିତି କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯/୯: ରାଜ୍ୟର କେତେକ ଅଞ୍ଚଳରେ ସ୍କ୍ରବ୍‌ ଟାଇଫସ୍‌କୁ ନେଇ ଚିନ୍ତା ପ୍ରକାଶ ପାଉଥିବା ବେଳେ ଲୋକଙ୍କୁ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ। ସ୍କ୍ରବ୍‌ ଟାଇଫସ୍‌କୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଓ ମନିଟରିଂ ଜାରି ରହିଥିବା ସେ କହିଛନ୍ତି।

ମନ୍ତ୍ରୀ କହିଛନ୍ତି, ସୁନ୍ଦରଗଡ଼ ଓ ପାଲଲହଡ଼ାରୁ ସ୍କ୍ରବ୍‌ ଟାଇଫସ୍‌କୁ ନେଇ କିଛି ଇସ୍ୟୁ ଆସିଛି। ଏହାର ପୁଣି ଥରେ ତର୍ଜମା କରାଯିବ। ସ୍କ୍ରବ୍‌ ଟାଇଫସ୍‌ ନେଇ ଲୋକେ ଭୟଭୀତ ନ ହୋଇ ସତର୍କ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି। ସ୍କ୍ରବ୍‌ ଟାଇଫସ୍‌ ନିଶ୍ଚିତ କରିବା ପାଇଁ ପରୀକ୍ଷା ଓ ଚିକିତ୍ସାଗତ ମୂଲ୍ୟାୟନର ଆବଶ୍ୟକତା ରହିଛି।

ଅନ୍ୟପକ୍ଷରେ ରାୟଗଡ଼ାରେ ଜଣ୍ଡିସ୍‌ ବ୍ୟାପିବା ନେଇ ଆସିଥିବା ଖବରକୁ ମଧ୍ୟ ତର୍ଜମା କରାଯାଉଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ସ୍ଥିତି ଉପରେ ନଜର ରଖାଯାଇଥିବା ସହ ଡାକ୍ତରୀ ଟିମ୍‌ର ମନିଟରିଂ ଜାରି ରହିଛି।

ସେହିପରି ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକରେ ବାସୀ ଖାଦ୍ୟ ବିକ୍ରି ଓ ବ୍ୟବହାର ନେଇ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରେଡ୍‌ କରାଯାଉଛି। ଖାଦ୍ୟର ମାନ ଯାଞ୍ଚ ସହ ଅସ୍ୱାସ୍ଥ୍ୟକର ଖାଦ୍ୟ ବିକ୍ରି ରୋକିବା ଦିଗରେ ବିଭାଗ ନଜର ରଖିଛି।

ସୂଚନାଯୋଗ୍ୟ, ସୁନ୍ଦରଗଡ଼ରେ ସ୍କ୍ରବ୍‌ ଟାଇଫସ୍‌ ମାମଲା ବଢ଼ିବା ନେଇ ସମ୍ପ୍ରତି ରିପୋର୍ଟ ପ୍ରକାଶ ପାଇଛି। ଉପଲବ୍ଧ ତଥ୍ୟ ଅନୁଯାୟୀ, ଜିଲାରେ ୫,୬୦୦ରୁ ଅଧିକ ରକ୍ତ ନମୁନା ପରୀକ୍ଷା କରାଯାଇଥିବା ଏବଂ ୮୦୦ରୁ ଅଧିକ ନମୁନା ପଜିଟିଭ୍‌ ଆସିଥିବା ନେଇ ରିପୋର୍ଟ ରହିଛି।

Dharitri – Odisha’s No.1 Odia Daily

Share