ଧାମନଗରରେ ସ୍ବାସ୍ଥ୍ୟ ସମୀକ୍ଷା କଲେ ସ୍ବାସ୍ଥ୍ୟ ମନ୍ତ୍ରୀ, ବନ୍ୟା ବିପନ୍ନଙ୍କ ସହ କଲେ ଆଲୋଚନା

ଧାମନଗର,୬।୮( ସନ୍ତୋଷ କୁମାର ମହାପାତ୍ର): ଚଳିତ ବର୍ଷ ପ୍ରଥମ କରି ବନ୍ୟାରେ ଭଦ୍ରକ ଜିଲା ସମେତ ଧାମନଗର ଅଞ୍ଚଳରେ କ୍ଷୟକ୍ଷତି ହୋଇଥିଲା । ଏହି ବନ୍ୟାରେ ଲୋକଙ୍କ ସ୍ବାସ୍ଥ୍ୟ ଜନିତ ସମସ୍ୟା ନେଇ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୁରୁବାର ମଧ୍ୟାହ୍ନରେ ଧାମନଗର ଗସ୍ତ କରିଥିଲେ । ପ୍ରଥମେ ଧାମନଗର ଏନ୍ ଏ ସି ୧୦ ନଂ ୱାର୍ଡ ଗସ୍ତ ସମୟରେ ବିଭିନ୍ନ ଲୋକଙ୍କୁ ସିଧାସଳଖ ସ୍ବାସ୍ଥ୍ୟ ଜନିତ ସମସ୍ୟା ତଥା ଅନ୍ୟାନ୍ୟ ସମ୍ପର୍କରେ ବୁଝିଥିଲେ । ପରେ ଉକ୍ତ ୱାର୍ଡରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କେନ୍ଦ୍ରକୁ ପରିଦର୍ଶନ ଅବସରରେ ବନ୍ୟା ସମୟରେ ରୋଗୀଙ୍କୁ କିଭଳି ଭାବେ ସେବା ଯୋଗାଇ ଦିଆଯାଉଥିଲା ଉପସ୍ଥିତ ଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ପଚାରି ବୁଝିଥିଲେ।

ପରେ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସଭାଗୃହରେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବନ୍ୟା ପରବର୍ତ୍ତୀ ସମୟରେ ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ଜନିତ ବିଭିନ୍ନ ସମସ୍ୟା ଦେଖାଯାଇଥାଏ । ବିଶେଷ କରି ଡାଇରିଆ, ମ୍ୟାଲେରିଆ ଇତ୍ୟାଦି ରୋଗ ବ୍ୟାପିବାର ସମ୍ଭାବନା ଥାଏ। ବନ୍ୟା ସମୟରେ ଧାମନଗର ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଧାମନଗରରେ ରହି ଯେଉଁଭଳି ଭାବେ ନିଜ ଜୀବନକୁ ବାଜି ଲଗାଇ ବନ୍ୟା ପ୍ରଭାବିତ ଲୋକଙ୍କ ଉଦ୍ଧାର କରିବା ସହ ଲୋକଙ୍କ ସେବା ପ୍ରଦାନ କରିଥିଲେ ସେହି କାର୍ଯ୍ୟକୁ ପ୍ରଶଂସା କରାଯାଇଥିଲା । ଏଥିପାଇଁ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ବନ୍ୟା ପରେ ଡାଇରିଆ ମ୍ୟାଲେରିଆ କିମ୍ବା ଅନ୍ୟାନ୍ୟ ସ୍ବାସ୍ଥ୍ୟ ଜନିତ ସମସ୍ୟା ସେନେଇ ସ୍ୱାସ୍ଥ୍ୟ ବିଭାଗ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷକରି ଡାଇରିଆ ନ ବ୍ୟାପିବା ନେଇ ଆଣ୍ଟି ଡାଇରିଆ ଟାବଲେଟ ଓ ହାଲୋଜେନ୍ ଟାବଲେଟ ମହଜୁଦ ରଖିବା ସହ ସ୍ୱଚ୍ଛ ପିଇବା ପାଣି ନେଇ ବନ୍ୟା ପ୍ରଭାବିତ ଅଞ୍ଚଳରେ ୭ ଦିନର ଥରେ ଲେଖାଏଁ ଟିୱେଲ ଗୁଡ଼ିକ ଜୀବାଣୁ ମୁକ୍ତ କରାଯିବ, ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବନ୍ୟା ସମୟରେ ସିଏଚସିରୁ ପିଏଚସି ପର୍ଯ୍ୟନ୍ତ ସାପ କାମୁଡ଼ା ଇଞ୍ଜେକ୍ସନ ମହଜୁଦ ରଖାଯାଇଥିଲା ଏବଂ ସେ ସମୟରେ ଯେଉଁ ସବୁ ସମସ୍ୟା ଆସୁଥିଲା ତୁରନ୍ତ ପଦକ୍ଷେପ ନିଆଯାଇଥିଲା।

ଜିଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ବନ୍ୟା ସମୟରେ ମୋଟ ୧୭ ଜଣ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରାଯାଇ ସ୍ଥାନାନ୍ତର କରାଯାଇଥିଲା । ସେଥିମଧ୍ୟରୁ ୯ ଜଣ ଗର୍ଭବତୀ ମହିଳାଙ୍କ ସୁସ୍ଥ ମାତୃତ୍ଵ ଲାଭ କରିଥିବା ବେଳେ ଉଭୟ ପିଲା ଓ ମାଆଙ୍କ ସ୍ବାସ୍ଥ୍ୟ ଅବସ୍ଥା ସମ୍ପୂର୍ଣ ଭଲ ରହିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏକ ସର୍ବପୁରାତନ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଏହାର ନବୀକରଣ ନେଇ ନୂତନ ଡାକ୍ତର ଖାନା ଘର ନିର୍ମାଣ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଥିକ ବେୟ ବରାଦ କରାଯାଇ କାର୍ଯ୍ୟ ଆରମ୍ଭ ହୋଇସାରିଛି। ଏହା ସରିବା ପରେ ସମସ୍ତ ସମସ୍ୟା ଦୂରୀକରଣ ହେବ ବୋଲି ମନ୍ତ୍ରୀ କହିଥିଲେ । ଏଥିସହ ବନ୍ୟା ସମୟରେ ଆଶାକର୍ମୀଙ୍କ ପକ୍ଷରୁ ଅନେକ ସାହାଯ୍ୟ ଓ ସହଯୋଗ କରାଯାଇଥିବାରୁ ମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ୍ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲାପାଳ ସୋମେଶ ଉପାଧ୍ୟାୟ, ଉପଜିଲାପାଳ ସୌରଭ ଚକ୍ରବର୍ତ୍ତୀ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରମୋଦ ପ୍ରହରାଜ, ରାଜ୍ୟ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ରବୀନ୍ଦ୍ର ନାଥ ମିଶ୍ର, ପ୍ରାକ୍ତନ ସ୍ଵତନ୍ତ୍ର ସ୍ବାସ୍ଥ୍ୟ ସେକ୍ରେଟାରୀ ବିଜୟ କୁମାର ମିଶ୍ର , ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟ ମୁଖ୍ୟ ଅଧିକାରୀ ମନ ମୟ ସାମନ୍ତ ସିଂହାର, ମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ଆଶୋକ ପୁହାଣ, ଏପପିଙ୍କ ବ୍ଲକ ପ୍ରତିନିଧି ମନୋରଞ୍ଜନ ମଲ୍ଲିକ, ମନ୍ତ୍ରୀଙ୍କ ନଗର ପ୍ରତିନିଧି କୈଳାଶ ମହାପାତ୍ର, ଏମପିଙ୍କ ନଗର ପ୍ରତିନିଧି ସରୋଜ ମହାପାତ୍ର, ବରିଷ୍ଠ ଭାଜପା ନେତା ଅରବିନ୍ଦ ପତି ପ୍ରମୁଖ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily