କୋରାପୁଟ/ଜୟପୁର,୧୬ା୮(ଅମିତାଭ ବେହେରା/ପବନ ପାଣିଗ୍ରାହୀ): କୋରାପୁଟ ଜିଲାର ଜୟପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ନୂତନ କ୍ରିଟିକାଲ କେୟାର ୟୁନିଟ୍ ଉଦ୍ଘାଟିତ ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ୟୁନିଟ୍ର ଉଦ୍ଘାଟନ କରିବା ସହ ଚିକିତ୍ସାଳୟର ବିଭିନ୍ନ ଓ୍ବାର୍ଡ ପରିଦର୍ଶନ କରି ସ୍ବାସ୍ଥ୍ୟସେବାର ସ୍ଥିତି ସମୀକ୍ଷା କରିଥିଲେ। ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ବିଭିନ୍ନ ଓ୍ବାର୍ଡ ବୁଲି ରୋଗୀମାନଙ୍କ ସହ ଆଲୋଚନା କରି ସେମାନଙ୍କୁ ମିଳୁଥିବା ଚିକିତ୍ସା ଓ ସ୍ବାସ୍ଥ୍ୟସେବା ସମ୍ପର୍କରେ ପଚାରି ବୁଝିଥିଲେ। ଚିକିତ୍ସାଳୟରେ ଔଷଧ, ଚିକିତ୍ସା ସୁବିଧା, ରୋଗୀ ସେବା ଓ ଅନ୍ୟାନ୍ୟ ଆବଶ୍ୟକତା ସମ୍ପର୍କରେ ମଧ୍ୟ ସେ ଅଧିକାରୀ ଓ ଡାକ୍ତରମାନଙ୍କଠାରୁ ସୂଚନା ନେଇଥିଲେ। ପରେ ମେଡିକାଲ କର୍ତ୍ତୃପକ୍ଷ, ବିଭିନ୍ନ ବିଭାଗୀୟ ଡାକ୍ତର ଓ ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କ ସହ ମନ୍ତ୍ରୀ ଏକ ସମୀକ୍ଷା ବୈଠକ କରିଥିଲେ। ଜିଲାରେ ସ୍ବାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବା, ରୋଗୀମାନଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇଦେବା ଏବଂ ଜରୁରୀକାଳିନ ଚିକିତ୍ସାସେବାକୁ ଅଧିକ କାର୍ଯ୍ୟକ୍ଷମ କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା।
ଏହି ଅବସରରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ଼ ବିଧାୟକ ରୁପୁ ଭତ୍ରା, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା, ଜିଲାପାଳ ମନୋଜ ସତ୍ୟଓ୍ବାନ ମହାଜନ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଅକ୍ଷୟ କୁମାର ରଥଙ୍କ ସମେତ ବିଭିନ୍ନ ବିଭାଗର ଡାକ୍ତର, ଅଧିକାରୀ ଓ ମେଡିକାଲ କର୍ତ୍ତୃପକ୍ଷ୍ମାନେ ଉପସ୍ଥିତ ଥିଲେ।