ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର, ୧୪।୩(ବ୍ୟୁରୋ):ରାଜ୍ୟରେ ଚିନ୍ତା ବଢ଼ାଉଛି ଏଚ୍‌୩ଏନ୍‌୨ ଇନ୍‌ଫ୍ଲୁଏଞ୍ଜା। କେନ୍ଦ୍ର ସରକାରଙ୍କ ସତର୍କତା ପରେ ରାଜ୍ୟ ସରକାର ତପତ୍ରତା ଦେଖାଇଛନ୍ତି। ସ୍ବାସ୍ଥ୍ୟ ବିଭାଗ ସମସ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଓ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛି। ସର୍ଭିଲାନ୍ସ ବଢ଼ାଇବା ସହ ଔଷଧ, ଅକ୍ସିଜେନ ଓ ଆଇସିୟୁ ସ୍ଥିତି ନିୟମିତ ଅନୁଧ୍ୟାନ କରିବାକୁ କୁହାଯାଇଛି। ଇନ୍‌ଫ୍ଲୁଏଞ୍ଜାର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ। ଜ୍ୱର, ଥଣ୍ଡା, କାଶ କିଛିଦିନ ରହିବ। ଏହାପରେ ଆପେ ଆପେ ଭଲ ହୋଇପାରେ। କିନ୍ତୁ କିଡ୍‌ନୀ, ହାର୍ଟ ଓ ଶ୍ୱାସ ରୋଗୀ ଏଥିରେ ଗୁରୁତର ହୋଇପାରନ୍ତି। ତେଣୁ ଲକ୍ଷଣ ଥିଲେ ନିଜକୁ ଆଇସୋଲେଟ୍‌ କରିବା ସହ ମାସ୍କ ପିନ୍ଧିବା ଓ ହାତ ଧୋଇବାକୁ ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି। ରୋଗ ଭଲ ନ ହେଲେ ଡାକ୍ତରଙ୍କ ପରାମର୍ଶ ନେଇ ହସ୍ପିଟାଲରେ ଆଡ୍‌ମିଟ୍‌ ହେବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଏଚ୍‌୩ଏନ୍‌୨ ଭୂତାଣୁର ଭୟ ଲୋକଙ୍କ ମଧ୍ୟରେ ଥିବା ବେଳେ ସେପଟେ ଦେଶରେ ପୁଣି କରୋନା ଭୟ ଘାରିଲାଣି। ୧୧୩ ଦିନ ପରେ ଦେଶରେ ପୁଣିଥରେ ୫୦୦ ଟପିଛି ଦୈନିକ କରୋନା ସଂକ୍ରମଣ। ତେଣୁ କୋଭିଡ୍‌ ନିୟମ ପାଳନ କରିବା ସହିତ ଥଣ୍ଡା, କାଶ ଥିଲେ କୋଭିଡ୍‌ ଟେଷ୍ଟ କରିବାକୁ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ଜନସାଧାରଣଙ୍କୁ ପରାମର୍ଶ ଦେଇଛି।