ଝରିଗାଁ,୧୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲାର ଝରିଗାଁ ବ୍ଲକ ଅନ୍ତର୍ଗତ ମାଝୀଗୁଡ଼ା ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଗତ ଶୁକ୍ରବାର ବିଦ୍ୟାଳୟ ଛୁଟି ହେବା ପରେ ଏକ ଅଟୋରେ ମଧ୍ୟାହ୍ନଭୋଜନ ଚାଉଳ ଓ ସଖୀ ସାନିଟାରି ନାପ୍କିନ୍ ଲୋଡିଂ କରିବା ସମୟରେ ଗ୍ରାମବାସୀ ଦେଖି ଗାଡ଼ି ଅଟକାଇଥିଲେ। ଏହାକୁ ନେଇ ସେଠାରେ କିଛି ସମୟ ଉତ୍ତେଜନା ଦେଖାଦେଇଥିଲା। ଚାଉଳ କ’ଣ ପାଇଁ କେଉଁଠିକୁ ଯାଉଥିଲା ବୋଲି ଗ୍ରାମବାସୀ ପ୍ରଶ୍ନ କରିଥିଲେ I ଏହି ଘଟଣାରେ ଝରିଗାଁ ବିଇଓ ଉମରସିଂ ନାୟକ ତଦନ୍ତ କରିଥିବା ବେଳେ ସଂପୃକ୍ତ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ସ୍ବର୍ଣ୍ଣକାନ୍ତି ମହାପାତ୍ରଙ୍କୁ ଅଗଷ୍ଟ ୧୫ ତାରିଖରେ ନିଲମ୍ବିତ କରାଯାଇଛି।
ସୂଚନାଯୋଗ୍ୟ, ଶୁକ୍ରବାର ସ୍କୁଲ ଛୁଟି ହେବା ପରେ ମାଝୀଗୁଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅଟୋରେ ମଧ୍ୟାହ୍ନଭୋଜନ ଚାଉଳ ଓ ଛାତ୍ରୀଙ୍କ ପାଇଁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଖୁସି ସାନିଟାରି ପ୍ୟାଡ୍ ଲୋଡ୍ ହେଉଥିବା ଦେଖି ଗ୍ରାମବାସୀ ଅଟୋକୁ ଘେରିଥିଲେ। ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ସ୍ବର୍ଣ୍ଣକାନ୍ତି ମହାପାତ୍ର ତରବରିଆଭାବେ ଅଟୋ ଡ୍ରାଇଭରଙ୍କୁ ଧରି ପୁଣି ସେ ସବୁକୁ ଅନ୍ଲୋଡ୍ କରି ଦେଇଥିଲେ। ଅଟୋରେ ଲୋଡ ଓ ଅନ୍ଲୋଡ୍ ସମୟର ଭିଡିଓ ଗ୍ରାମବାସୀ ଉତ୍ତୋଳନ କରିଥିଲେ। ଚାଉଳ ମିଲିଂ ପାଇଁ ଉମରକୋଟ ଯାଉଥିବା ପ୍ରଧାନଶିକ୍ଷୟିତ୍ରୀ କହିଥିଲେ। ସ୍ବର୍ଣ୍ଣକାନ୍ତିଙ୍କ ବିରୋଧରେ ମଧ୍ୟାହ୍ନଭୋଜନ ସାମଗ୍ରୀର ଅପବ୍ୟବହାର ଅଭିଯୋଗରେ ନିଲମ୍ବନ କରାଯିବା ସହ ତାଙ୍କୁ ଏକମ୍ବା – ଖ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟସ୍ଥିର କରାଯାଇଥିବା ନେଇ ବିଇଓ ପ୍ରକାଶ କରିଛନ୍ତି।