ଛାତ୍ରୀଙ୍କୁ ଅସଦାଚରଣ କରିବା ମହଙ୍ଗା ପଡ଼ିଲା

ଭବାନୀପାଟଣା,୨୨।୫(ସ୍ବ.ପ୍ର.): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପୀନାଥପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଧୀନ ଆଦିବାସୀ କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ଏକ ଛାତ୍ରୀ ନିବାସର ୬ଜଣ ଛାତ୍ରୀ ଶନିବାର ପ୍ରଧାନ ଶିକ୍ଷକ ଶଶୀଧର ନାଏକଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିଲେ। ଜିଲା ପ୍ରଶାସନ ଓ ସ୍ଥାନୀୟ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ପରେ ପ୍ରଧାନ ଶିକ୍ଷକଙ୍କ କଳାକାରନାମା ସମ୍ପର୍କରେ ଜଣାପଡିଥିଲା। ଏହାପରେ ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ବ୍ଲକ ଶିକ୍ଷାଧିକାରୀଙ୍କ ପତ୍ର ସଂଖା ୫୮୬ ଅନୁଯାୟୀ ନିଲମ୍ବିତ କରାଯାଇଛି।

ସେହିପରି ପୋଲିସ ପକ୍ଷରୁ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ନାଏକଙ୍କ ବିରୋଧରେ ଆଇପିସି ଦଫା ୨୯୪/୩୫୪/୩୫୪ଏ/୩୫୪/ସି/୩୫୪ଡି ଓ ପୋକ୍‌ସୋ ସେକ୍ସନ ଧାରା ୧୨ରେ ଏକ ମାମଲା (ନଂ.୧୧୧/୨୨) ରୁଜୁ କରି ଗିରଫ ପରେ ରବିବାର କୋର୍ଟ ଚାଲାଣ କରାଯାଇଛି। ପ୍ରକାଶ ଯେ, ଶନିବାର ଏହି ଘଟଣାର ସତ୍ୟତା ଜାଣିବା ପାଇଁ ଜିଲା ମଙ୍ଗଳ ଅଧିକାରୀ, ଶିଶୁ ସୁରକ୍ଷା ବିଭାଗ ଅଧିକାରୀ, ସ୍ଥାନୀୟ ବିଡିଓ, ଡବ୍ଲ୍ୟୁଇଓ, ଆଇଆଇସି ତଦନ୍ତ କରିବାକୁ ଘଟଣାସ୍ଥଳକୁ ଯାଇଥିଲେ। ସେଠାରେ ସେମାନେ ଛାତ୍ରୀଙ୍କ ଅଭିଯୋଗ ଶୁଣିଥିଲେ। ପରେ ପୋଲିସ ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ଥାନାକୁ ଆଣି ପଚରାଉଚୁରା କରିଥିଲା। ପ୍ରଶାସନ ଓ ପୋଲିସ ଅଧିକାରୀଙ୍କ ରିପୋର୍ଟ ପରେ ପ୍ରଧାନ ଶିକ୍ଷକଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅନ୍ୟପକ୍ଷରେ ବର୍ତ୍ତମାନ ଉକ୍ତ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ଆଲ୍ଲାଦିନୀ ମଣି ବାଗଙ୍କୁ ଉକ୍ତ ସ୍କୁଲ ଓ ଛାତ୍ରୀ ନିବାସର ପରିଚାଳନା ଦାୟିତ୍ୱ ଦିଆଯାଇଥିବା ସ୍ଥାନୀୟ ଶିକ୍ଷା ବିଭାଗ ପକ୍ଷରୁ ଜଣାପଡିଛି।