କଳିଙ୍ଗନଗର,୨୧।୪(ଶୁଭାଶିଷ ରାଉତ): ଶିକ୍ଷାର ମନ୍ଦିରରେ ଗୁରୁଙ୍କ ଅମାନବୀୟ କାଣ୍ଡ। କୋମଳମତି ପିଲାଙ୍କୁ ଦଣ୍ଡ ଦେବା ନାଁରେ ପିଲାଙ୍କ ପ୍ୟାଣ୍ଟ ଭିତରେ ବିଛୁଆତି ପୁରାଇ ନିର୍ଯାତନା ଦେଇଥିବା ଅଭିଯୋଗରେ ଯାଜପୁର ଜିଲା ସୁକିନ୍ଦା ବ୍ଲକ ସାରୁଆବିଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବାସୁଦେବ ଦେହୁରୀଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି।
ସୂଚନା ଅନୁଯାୟୀ, ଗତ ଏପ୍ରିଲ ୧୭ ତାରିଖରେ ସାରୁଆବିଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ବାସୁଦେବ ଦେହୁରୀ କୌଣସି କାରଣରୁ ଛାତ୍ରମାନଙ୍କ ଉପରେ ରାଗିଯାଇଥିଲେ। କ୍ରୋଧର ବଶବର୍ତ୍ତୀ ହୋଇ ସେ ଅତି ଅଶୋଭନୀୟ ଭାବେ ପିଲାମାନଙ୍କ ପ୍ୟାଣ୍ଟ ଭିତରେ ବିଛୁଆତି ପୁରାଇ ଦେଇଥିଲେ। ବିଛୁଆତି ସଂସ୍ପର୍ଶରେ ଆସିବାରୁ ପିଲାମାନେ ବିଦ୍ୟାଳୟ ପରିସରରେ ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଭାବକମାନେ ବିଦ୍ୟାଳୟରେ ପହଞ୍ଚି ହୋହଲ୍ଲା କରିବା ସହ କାଳିଆପାଣି ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ସ୍ଥାନୀୟ ସରପଞ୍ଚ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ହସ୍ତକ୍ଷେପ ପରେ, ଶିକ୍ଷକ ଜଣକ ନିଜ ଭୁଲ ସ୍ବୀକାର କରିଥିଲେ ଏବଂ ଭବିଷ୍ୟତରେ ଏପରି କରିବେ ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ମାମଲାରେ ଆପୋଷ ସମାଧାନ ହୋଇଥିଲା।
ତେବେ ଘଟଣାଟି ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଏବଂ ସାଧାରଣରେ ଶିକ୍ଷକଙ୍କୁ ନିନ୍ଦା କରାଯିବା ପରେ ଶିକ୍ଷା ବିଭାଗ ତତ୍ପରତା ପ୍ରକାଶ କରିଛି। ସୁକିନ୍ଦା ବ୍ଲକ ଶିକ୍ଷା ଅଧିକାରୀ (BEO) ନାରାୟଣ ଚନ୍ଦ୍ର ଦାସ ଏହି ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ବରୂପ ପ୍ରଧାନଶିକ୍ଷକ ବାସୁଦେବ ଦେହୁରୀଙ୍କୁ ତୁରନ୍ତ ଚାକିରିରୁ ନିଲମ୍ବିତ କରିଛନ୍ତି। ଏଭଳି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଅନ୍ୟମାନଙ୍କ ପାଇଁ ଏକ ଶିକ୍ଷା ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
Dharitri – Odisha’s No.1 Odia Daily