ନିର୍ମାଣ କାର୍ଯ୍ୟରେ ଛାତ୍ରଙ୍କୁ ନିୟୋଜିତ କରି ପ୍ରଧାନଶିକ୍ଷକ ନିଲମ୍ବିତ

ମାଲକାନଗିରି,୧୧ା୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ଟେମୁରୁପାଥି ପଞ୍ଚାୟତ କଂସାରିପୁଟ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରମାନଙ୍କୁ ବିଦ୍ୟାଳୟର ଭାଙ୍ଗି ଯାଇଥିବା ପାଚେରି ନିର୍ମାଣ କାର୍ଯ୍ୟରେ ନିୟୋଜିତ କରିବା ପ୍ରଧାନ ଶିକ୍ଷକଙ୍କୁ ମହଙ୍ଗା ପଡ଼ିଛି। ଏଥିଲାଗି ସେଠାକାର ପ୍ରଧାନ ଶିକ୍ଷକ ପୁରୁଷୋତ୍ତମ ବେହେରାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି।

ଛାତ୍ରମାନେ ଇଟାରେ ପାଚେରି ଯୋଡ଼େଇ କରୁଥିବା ଖବର ଧରିତ୍ରୀରେ ପ୍ରକାଶ ପାଇବା ପରେ ଜିଲା ପ୍ରଶାସନ ଏହାକୁ ଗୁରୁତର ସହ ନେଇଥିଲା। ଜିଲା ଶିକ୍ଷା ଅଧିକାରୀ ମାନସ ଜେନା ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମାଥିଲି ଭାରପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ଶଶିଭୂଷଣ ମିଶ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବ୍ଲକ ଶିକ୍ଷା ଅଧିକାରୀ ମିଶ୍ର କଂସାରିପୁଟ ବିଦ୍ୟାଳୟକୁ ଯାଇ ଘଟଣାର ତଦନ୍ତ ପରେ ପ୍ରଧାନ ଶିକ୍ଷକ ବେହେରାଙ୍କୁ ନିଲମ୍ବନ କରିଛନ୍ତି।