୨ ଦିନ ପରେ ନେଇଥାନ୍ତେ ଅବସର, ହେଲେ…

ଗୁଣପୁର,୨୯ା୧୦(ଡି.ଏନ୍‌.ଏ.): ଅବସର ଗ୍ରହଣ କରିବାର ମାତ୍ର ୨ ଦିନ ପୂର୍ବରୁ ଜଣେ ଶିକ୍ଷକଙ୍କ ନାମରେ ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଅଭିଯୋଗ ଆସିଛି। ରାୟଗଡ଼ା ଜିଲା ଗୁଣପୁର ବ୍ଲକ କାଡାସି କ୍ଲଷ୍ଟର ଅଧୀନ ଡେଙ୍ଗିଣି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପାଞ୍ଚିନ ଗମାଙ୍ଗଙ୍କ ନାମରେ ଏଭଳି ଅଭିଯୋଗ ଆସିଛି। ପାଞ୍ଚିନ ଅକ୍ଟୋବର ୩୧ରେ ଅବସର ଗ୍ରହଣ କରିବେ। କିନ୍ତୁ ସେ ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଜଣାପଡ଼ିବା ପରେ ବିଇଓ ଅନ୍ତର୍ଯାମୀ ବେହେରା ତାଙ୍କ ନାମରେ ଗୁଣପୁର ଆଦର୍ଶ ଥାନାରେ ଏତଲା ଦେଇଛନ୍ତି।
ସୂଚନା ଅନୁଯାୟୀ, ଗତ ମାସରେ ଶିକ୍ଷୟିତ୍ରୀ, ଶିକ୍ଷକମାନଙ୍କ ସାର୍ଟିଫିକେଟ ଯାଞ୍ଚ କରାଯାଇ ଗୁଣପୁର ବ୍ଲକର ୨୨ ଶିକ୍ଷକଙ୍କ ସାର୍ଟିଫିକେଟ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡକୁ ପଠାଯାଇଥିଲା। ସେଥିମଧ୍ୟରୁ ପାଞ୍ଚିନଙ୍କ ଶିକ୍ଷାଗତ ଯୋଗ୍ୟତା ସାର୍ଟିଫିକେଟ ଜାଲ୍‌ ଥିବା ବୋର୍ଡ ଚିହ୍ନଟ କରି ଗୁଣପୁର ବିଇଓଙ୍କୁ ଜଣାଇଥିଲା। ଏହି ସୂଚନା ଆଧାରରେ ଥାନାରେ ଏତଲା ଦିଆଯାଇଛି। ପୋଲିସ ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ଯଶଓ୍ବନ୍ତ କୁମାର ହିଆଲ ସୂଚନା ଦେଇଛନ୍ତି।