‘୧୫ ମହଲା ବାଲକୋନିରେ ମୋତେ ଟାଙ୍ଗି ଦେଇଥିଲେ’

ନୂଆଦିଲ୍ଲୀ,୮।୪: ଚଳିତ ଆଇପିଏଲ ସିଜନରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ପ୍ରତିନିଧିତ୍ୱ କରିବା ପୂର୍ବରୁ ୟୁଜବେନ୍ଦ୍ର ଚହଲ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପାଇଁ ଖେଳିଥିଲେ। ରାଜସ୍ଥାନ ରୟାଲ୍ସ ପକ୍ଷରୁ ଶୁକ୍ରବାର ଟୁଇଟ୍‌ କରାଯାଇଥିବା ଭିଡିଓରେ ଚହଲ ୨୦୧୩ରେ ସମ୍ମୁଖୀନ ହୋଇଥିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ପ୍ରକାଶ କରିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ଦଳର ସଦସ୍ୟ ଥିଲା ବେଳେ ଜଣେ ମଦ୍ୟପ ସାଥି ଖେଳାଳି ତାଙ୍କୁ ୧୫ ମହଲା ବାଲକୋନିକୁ ନେଇ ଟାଙ୍ଗି ଦେଇଥିଲେ।

ଏହି ଘଟଣା ସମ୍ପର୍କରେ ଚହଲ କହିଛନ୍ତି, ମୁଁ କାଦପି ଏହି କଥା କାହାକୁ କହି ନାହିଁ। ଆଜିଠୁ ସମସ୍ତେ ଏ ବିଷୟରେ ଜାଣିବେ। ମୁଁ ଏହାକୁ କେବେ ବି ଶେୟାର କରିନାହିଁ। ୨୦୧୩ କଥା ସେତେବେଳେ ମୁଁ ମୁମ୍ବାଇ ଇଣ୍ଡିଆନ୍ସ ଦଳର ସଦସ୍ୟ ଥିଲି। ବାଙ୍ଗାଲୋରରେ ଖେଳାଯାଇଥିବା ମ୍ୟାଚ୍‌ ପରେ ଏକ ଗେଟ୍‌ଟୁଗେଦର ହୋଇଥିଲା। ସେଠାରେ ଜଣେ ଖେଳାଳି ଥିଲେ, ସେ ଖୁବ୍‌ ନିଶାରେ ଥିଲେ। ଦୀର୍ଘ ସମୟ ଧରି ମୋତେ ଦେଖିବା ପରେ ମୋତେ ବାହାରକୁ ଡାକି ନେଇ ବାଲକୋନିରେ ଟାଙ୍ଗି ଦେଇଥିଲେ।

ଚଳିତ ସିଜନରେ ଏପର୍ଯ୍ୟନ୍ତ ୭ ଉଇକେଟ ନେଇଥିବା ୩୧ ବର୍ଷୀୟ ଚହଲ ଆହୁରି କହିଛନ୍ତି, ମୁଁ ଦୁଇ ହାତରେ ତାଙ୍କୁ ଧରି ରଖିଥିଲି। ମୋ ଗ୍ରିପ୍‌ ଖସୁଥିବା ବେଳେ ଉପସ୍ଥିତ ଲୋକେ ଆସି ପରିସ୍ଥିତି ସମ୍ଭାଳି ନେଇଥିଲେ। ମୁଁ ଡରି ଯାଇଥିଲି। ସେମାନେ ମୋତେ ପାଣି ଦେଇଥିଲେ। ତା’ପରେ ମୁଁ ଅନୁଭବ କଲି ବାହାରକୁ ଯିବାକୁ ହେଲେ ଆମକୁ ଦାୟିତ୍ୱବାନ ହେବାକୁ ପଡ଼ିବ। ଏହି ଘଟଣାରେ ମୁଁ ଅଳ୍ପକେ ବର୍ତ୍ତିଯାଇଥିଲି। ସେଠାରେ ଛୋଟିଆ ତ୍ରୁଟି କରିଥିଲେ, ମୁଁ ୧୫ ମହଲାରୁ ପଡ଼ିଯାଇଥାନ୍ତି।

ଚହଲ ପ୍ରକାଶ କରିଥିବା ଘଟଣା ପୂରା ଆଇପିଏଲ ଜଗତକୁ ସ୍ତବ୍ଧ କରିବା ନିଶ୍ଚିତ। ଏମ୍‌ଆଇ ମ୍ୟାନେଜମେଣ୍ଟ କିମ୍ବା ଦଳ ସହ ଯୋଡ଼ି ହୋଇଥିବା ଲୋକେ ପୂର୍ବରୁ ଘଟଣା ସମ୍ପର୍କରେ ଜାଣିଥାଇ ପାରନ୍ତି। କିନ୍ତୁ ପ୍ରଥମ ଥର ପାଇଁ ସର୍ବସାଧାରଣ ଆଗକୁ ଏଭଳି ଘଟଣା ଆସିଛି।

Share