ସେ ବାସ୍ତବରେ ଥିଲେ ସବୁଜ ବିପ୍ଳବର ଜନକ

ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ

କିଛିଦିନ ତଳେ ଆମେ ପ୍ରଫେସର ଏମ୍‌. ଏସ୍‌. ସ୍ବାମୀନାଥନଙ୍କୁ ହରାଇଛୁ। କୃଷି ବିଜ୍ଞାନରେ ବିପ୍ଳବ ଆଣିଥିବା ଜଣେ ଦୂରଦର୍ଶୀଙ୍କୁ ଆମ ଦେଶ ହରାଇଛି। ଭାରତ ପାଇଁ ତାଙ୍କର ଅବଦାନ ସର୍ବଦା ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ପ୍ରଫେସର ଏମ୍‌.ଏସ୍‌. ସ୍ବାମୀନାଥନ ଭାରତକୁ ଭଲ ପାଉଥିଲେ। ସେ ଚାହୁଁଥିଲେ, ଆମ ଦେଶ ସମୃଦ୍ଧ ହେଉ, ବିଶେଷକରି ଆମ କୃଷକମାନେ ମର୍ଯ୍ୟାଦାପୂର୍ଣ୍ଣ ଜୀବନଯାପନ କରନ୍ତୁ। ଶିକ୍ଷାଗତ ଦୃଷ୍ଟିରୁ ସେ ଯେକୌଣସି କ୍ୟାରିୟର ବାଛି ପାରିଥାନ୍ତେ, କିନ୍ତୁ ୧୯୪୩ ମସିହାର ବଙ୍ଗ ଦୁର୍ଭିକ୍ଷ ଦେଖି ସେ ଏତେ ପ୍ରଭାବିତ ହୋଇଥିଲେ ଯେ କୃଷି କ୍ଷେତ୍ରରେ ଅଧ୍ୟୟନ ପାଇଁ ପଣ କରିଥିଲେ।
ଖୁବ୍‌ କମ୍‌ ବୟସରେ, ସେ ଡକ୍ଟର ନର୍ମାନ ବୋର୍ଲାଗଙ୍କ ସଂସ୍ପର୍ଶରେ ଆସିଥିଲେ ଏବଂ ତାଙ୍କ କାର୍ଯ୍ୟକୁ ଅତି ବିସ୍ତୃତ ଭାବରେ ଅନୁସରଣ କରିଥିଲେ। ୧୯୫୦ ଦଶକରେ ସ୍ବାମୀନାଥନଙ୍କୁ ଆମେରିକାରେ ଅଧ୍ୟାପକ ପଦବୀ ପାଇଁ ପ୍ରସ୍ତାବ ଦିଆଯାଇଥିଲା କିନ୍ତୁ ସେ ଭାରତରେ ଏବଂ ଭାରତ ପାଇଁ କାମ କରିବାକୁ ଚାହୁଁଥିବାରୁ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ।
ମୁଁ ଚାହୁଁଛି ଯେ, ଆପଣମାନେ ସମସ୍ତେ ସେହି ଆହ୍ବାନପୂର୍ଣ୍ଣ ପରିସ୍ଥିତି ବିଷୟରେ ଚିନ୍ତା କରନ୍ତୁ, ଯେଉଁଥିରେ ପ୍ରଫେସର ସ୍ବାମୀନାଥନ ଦୃଢ଼ ଭାବରେ ଠିଆ ହୋଇଥିଲେ ଏବଂ ଆମ ଦେଶକୁ ଆତ୍ମନିର୍ଭରଶୀଳତା ଓ ଆତ୍ମବିଶ୍ୱାସର ମାର୍ଗରେ ଆଗେଇ ନେଇଥିଲେ। ସ୍ବାଧୀନତା ପରଠାରୁ ପ୍ରଥମ ଦୁଇ ଦଶନ୍ଧି ମଧ୍ୟରେ ଆମେ ଅନେକ ଆହ୍ବାନର ସମ୍ମୁଖୀନ ହୋଇଥିଲୁ ଏବଂ ସେଥିମଧ୍ୟରୁ ଗୋଟିଏ ଥିଲା ଖାଦ୍ୟ ଅଭାବ। ୧୯୬୦ ଦଶକର ପ୍ରାରମ୍ଭରେ ଭାରତ ଦୁର୍ଭିକ୍ଷର ଅଶୁଭ ଛାୟା ସହ ସଂଘର୍ଷ କରୁଥିଲା ଏବଂ ସେତେବେଳେ ପ୍ରଫେସର ସ୍ବାମୀନାଥନଙ୍କ ଅତୁଳନୀୟ ପ୍ରତିବଦ୍ଧତା ଓ ଦୂରଦୃଷ୍ଟି କୃଷି କ୍ଷେତ୍ରରେ ସମୃଦ୍ଧିର ଏକ ନୂଆ ଯୁଗ ଆରମ୍ଭ କରିଥିଲା। କୃଷି ଏବଂ ଗହମ ପ୍ରଜନନ ଭଳି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ସେ ଅଗ୍ରଣୀ ଗବେଷଣା କାର୍ଯ୍ୟ କରିଥିଲେ। ଫଳରେ ଦେଶରେ ଗହମ ଉତ୍ପାଦନ ଯଥେଷ୍ଟ ବୃଦ୍ଧି ପାଇଲା ଏବଂ ଭାରତ ଖାଦ୍ୟ ଅଭାବୀ ଦେଶରୁ ଏକ ଆତ୍ମନିର୍ଭରଶୀଳ ରାଷ୍ଟ୍ରରେ ପରିଣତ ହୋଇଥିଲା। ଏହି ବିରାଟ ଉପଲବ୍ଧି ପାଇଁ ତାଙ୍କୁ ସମ୍ମାନର ସହ ‘ଭାରତୀୟ ସବୁଜ ବିପ୍ଳବର ଜନକ’ ବୋଲି କୁହାଯାଏ।
ସବୁଜ ବିପ୍ଳବ ଭାରତର ‘କ୍ୟାନ୍‌ ଡୁ ସ୍ପିରିଟ’(କରିପାରିବାର ଇଚ୍ଛାଶକ୍ତି)ର ଏକ ଝଲକ ପ୍ରଦାନ କରିଥିଲା – ଯଦି ଆମ ଆଗରେ ୧୦୦ କୋଟି ଆହ୍ବାନ ରହିଛି ତା’ହେଲେ ସେହି ଆହ୍ବାନଗୁଡ଼ିକୁ ଅତିକ୍ରମ କରିବା ପାଇଁ ନବସୃଜନର ଜ୍ୟୋତି ସହିତ ଆମ ପାଖରେ ୧୦୦ କୋଟି ମସ୍ତିଷ୍କ ମଧ୍ୟ ଅଛି। ସବୁଜ ବିପ୍ଳବ ଆରମ୍ଭ ହେବାର ପାଞ୍ଚ ଦଶନ୍ଧି ପରେ ଭାରତୀୟ କୃଷି ଅଧିକ ଆଧୁନିକ ଓ ପ୍ରଗତିଶୀଳ ହୋଇପାରିଛି। କିନ୍ତୁ ପ୍ରଫେସର ସ୍ବାମୀନାଥନ ଯେଉଁ ମୂଳଦୁଆ ପ୍ରତିଷ୍ଠା କରିଯାଇଛନ୍ତି, ତାହା କେବେ ବି ଭୁଲିହେବ ନାହିଁ।
ବର୍ଷ ବର୍ଷ ଧରି ସେ ଆଳୁ ଫସଲକୁ ପ୍ରଭାବିତ କରୁଥିବା ପରଜୀବୀଙ୍କ ମୁକାବିଲା ଦିଗରେ ଅଗ୍ରଣୀ ଗବେଷଣା କରିଥିଲେ। ତାଙ୍କର ଗବେଷଣା ମଧ୍ୟ ଆଳୁ ଫସଲକୁ ଥଣ୍ଡା ପାଗ ସହ୍ୟ କରିବାରେ ସକ୍ଷମ କରିଥିଲା। ଆଜି ସାରା ବିଶ୍ୱ ମିଲେଟ ବା ଶ୍ରୀଅନ୍ନକୁ ‘ସୁପର ଫୁଡ୍‌’ ବୋଲି କହୁଛି, କିନ୍ତୁ ପ୍ରଫେସର ସ୍ବାମୀନାଥନ ୧୯୯୦ ମସିହାରୁ ମିଲେଟ ଚାଷ ଓ ଏହାର ଉପଯୋଗ ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ।
ପ୍ରଫେସର ସ୍ବାମୀନାଥନଙ୍କ ସହ ମୁଁ ବ୍ୟକ୍ତିଗତ ଭାବେ ଅନେକ ଥର ମିଶିଛି। ୨୦୦୧ରେ ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଆମ ସମ୍ପର୍କ ଆରମ୍ଭ ହୋଇଥିଲା। ସେହି ସମୟରେ ଗୁଜରାଟ ନିଜର କୃଷି ଦକ୍ଷତା ପାଇଁ ସେତେ ପରିଚିତ ନଥିଲା। କ୍ରମାଗତ ମରୁଡ଼ି, ବାତ୍ୟା ଓ ଭୂମିକମ୍ପ ଯୋଗୁ ରାଜ୍ୟର ବିକାଶଧାରା ପ୍ରଭାବିତ ହୋଇଥିଲା। ଆମେ ଆରମ୍ଭ କରିଥିବା ଅନେକ ଯୋଜନା ମଧ୍ୟରୁ ଗୋଟିଏ ଥିଲା ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ, ଯାହା ମାଟିକୁ ଭଲ ଭାବରେ ବୁଝିବାରେ ଏବଂ ଯଦି ସମସ୍ୟା ସୃଷ୍ଟି ହୁଏ ତେବେ ତାହାର ସମାଧାନ କରିବାରେ ଆମକୁ ସକ୍ଷମ କରିଥିଲା। ଏହି ଯୋଜନା ପରିପ୍ରେକ୍ଷୀରେ ମୁଁ ପ୍ରଫେସର ସ୍ବାମୀନାଥନଙ୍କୁ ଭେଟିଥିଲି। ସେ ଏହି ଯୋଜନାକୁ ପ୍ରଶଂସା କରିବା ସହ ଏଥିପାଇଁ ନିଜର ମୂଲ୍ୟବାନ ମତାମତ ମଧ୍ୟ ପ୍ରଦାନ କରିଥିଲେ। ଏହି ଯୋଜନାକୁ ନେଇ ସନ୍ଦେହ ଥିବା ଲୋକଙ୍କୁ ବୁଝାଇବାରେ ତାଙ୍କର ସମର୍ଥନ ଯଥେଷ୍ଟ ଥିଲା, ଯାହାକି ପରବର୍ତ୍ତୀ ସମୟରେ ଗୁଜରାଟରେ କୃଷିର ସଫଳତା ପାଇଁ କ୍ଷେତ୍ର ପ୍ରସ୍ତୁତ କଲା।
ମୋର ମୁଖ୍ୟମନ୍ତ୍ରୀ କାର୍ଯ୍ୟକାଳ ସମୟରେ ଏବଂ ଯେତେବେଳେ ମୁଁ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ନେଇଥିଲି ସେତେବେଳେ ମଧ୍ୟ ଆମର କଥାବାର୍ତ୍ତା ଜାରି ରହିଥିଲା। ମୁଁ ୨୦୧୬ରେ ଅନ୍ତର୍ଜାତୀୟ କୃଷି-ଜୈବବିବିଧତା କଂଗ୍ରେସରେ ତାଙ୍କୁ ଭେଟିଥିଲି ଏବଂ ପରବର୍ଷ ୨୦୧୭ରେ ମୁଁ ତାଙ୍କ ଦ୍ୱାରା ଲିଖିତ ଏକ ଦୁଇ ଭାଗ ବିଶିଷ୍ଟ ପୁସ୍ତକ ଶୃଙ୍ଖଳାକୁ ଉନ୍ମୋଚନ କରିଥିଲି ।
‘କୁରାଲ’ରେ କୃଷକମାନଙ୍କୁ ଏକ କେନ୍ଦ୍ରବିନ୍ଦୁ ଭାବରେ ବର୍ଣ୍ଣନା କରାଯାଇଛି, ଯାହା ବିଶ୍ୱକୁ ଏକାଠି ରଖିଥାଏ। ଏହାର କାରଣ ହେଉଛି କୃଷକମାନେ ହିଁ ସମସ୍ତଙ୍କୁ ବଞ୍ଚାଇ ରଖିଥାନ୍ତି। ପ୍ରଫେସର ସ୍ବାମୀନାଥନ ଏହି ନୀତିକୁ ଭଲ ଭାବରେ ବୁଝିଥିଲେ। ଅନେକ ଲୋକ ତାଙ୍କୁ ‘କୃଷି ବୈଜ୍ଞାନିକ’ ବୋଲି କୁହନ୍ତି। କିନ୍ତୁ ମୁଁ ସବୁବେଳେ ବିଶ୍ୱାସ କରିଆସିଛି ଯେ ତାଙ୍କ ବ୍ୟକ୍ତିତ୍ୱର ପରିସର ଏହାଠାରୁ ଆହୁରି ଅଧିକ ଥିଲା। ପ୍ରକୃତରେ ସେ ‘କିଷାନ ବୈଜ୍ଞାନିକ’- ଚାଷୀଙ୍କ ବୈଜ୍ଞାନିକ ଥିଲେ। ତାଙ୍କ ହୃଦୟ ଜଣେ ଚାଷୀଙ୍କ ଭଳି ଥିଲା। ତାଙ୍କ କୃତିର ସଫଳତା କେବଳ ଶିକ୍ଷାଗତ ଉତ୍କର୍ଷ ମଧ୍ୟରେ ସୀମିତ ନାହିଁ; ଏହା ପରୀକ୍ଷାଗାର ବାହାରେ, ଫାର୍ମ ଏବଂ ଚାଷ ଜମିରେ ପ୍ରଭାବ ବିସ୍ତାର କରିଛି। ତାଙ୍କର କାର୍ଯ୍ୟ ବୈଜ୍ଞାନିକ ଜ୍ଞାନ ଏବଂ ଏହାର ବ୍ୟବହାରିକ ପ୍ରୟୋଗ ମଧ୍ୟରେ ଥିବା ବ୍ୟବଧାନକୁ ହ୍ରାସ କରିପାରିଛି। ସେ ଦୀର୍ଘସ୍ଥାୟୀ କୃଷି ପାଇଁ ନିରନ୍ତର ସମର୍ଥନ କରୁଥିଲେ ଏବଂ ମାନବ ସମାଜର ଉନ୍ନତି ଓ ପରିବେଶର ସ୍ଥାୟିତ୍ୱ ମଧ୍ୟରେ ସୂକ୍ଷ୍ମ ସନ୍ତୁଳନ ଉପରେ ଗୁରୁତ୍ୱାରୋପ କରିଥିଲେ। ତାଙ୍କର ଆଉ ଗୋଟିଏ ଗୁଣ ବିଷୟରେ ମୁଁ ଏଠାରେ ଉଲ୍ଲେଖ କରିବାକୁ ଚାହୁଁଛି, କ୍ଷୁଦ୍ର ଚାଷୀମାନଙ୍କ ଜୀବନରେ ଉନ୍ନତି ଆଣିବା ଏବଂ ସେମାନେ ମଧ୍ୟ ଯେପରି ନୂଆ ଉଦ୍ଭାବନର ଫଳ ଉପଭୋଗ କରିପାରିବେ ତା’ଉପରେ ପ୍ରଫେସର ସ୍ବାମୀନାଥନ ବିଶେଷ ଗୁରୁତ୍ୱ ଦେଉଥିଲେ। ମହିଳା ଚାଷୀଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ସେ ବିଶେଷ ଭାବରେ ଆଗ୍ରହୀ ଥିଲେ।
ପ୍ରଫେସର ଏମ୍‌ ଏସ୍‌ ସ୍ବାମୀନାଥନଙ୍କ ବ୍ୟକ୍ତିତ୍ୱର ଆଉ ଏକ ଦିଗ ଅଛି ଯାହା ଉଲ୍ଲେଖନୀୟ – ସେ ନୂତନ ଉଦ୍ଭାବନ ଏବଂ ପ୍ରଶିକ୍ଷଣ କ୍ଷେତ୍ରରେ ଜଣେ ଆଦର୍ଶ ଭାବରେ ଠିଆ ହୋଇଛନ୍ତି। ୧୯୮୭ ମସିହାରେ ସେ ବିଶ୍ୱ ଖାଦ୍ୟ ପୁରସ୍କାର ପାଇଥିଲେ ଏବଂ ସେ ଥିଲେ ଏହି ସମ୍ମାନଜନକ ପୁରସ୍କାରର ପ୍ରଥମ ବିଜେତା। ପ୍ରଫେସର ସ୍ବାମୀନାଥନ ଏହି ପୁରସ୍କାର ରାଶିକୁ ଏକ ଅଣଲାଭକାରୀ ଗବେଷଣା ଫାଉଣ୍ଡେଶନ ପ୍ରତିଷ୍ଠା କରିବାରେ ବ୍ୟବହାର କରିଥିଲେ। ଆଜି ପର୍ଯ୍ୟନ୍ତ ଏହା ବିଭିନ୍ନ କ୍ଷେତ୍ରରେ ବ୍ୟାପକ କାର୍ଯ୍ୟ କରୁଛି। ସେ ଅଗଣିତ ବ୍ୟକ୍ତିତ୍ୱଙ୍କୁ ଅନୁପ୍ରାଣିତ କରିଛନ୍ତି ଏବଂ ସେମାନଙ୍କ ଭିତରେ ଅଧ୍ୟୟନ ଏବଂ ଉଦ୍ଭାବନ ପ୍ରତି ଆଗ୍ରହ ସୃଷ୍ଟି କରିଛନ୍ତି। ଦ୍ରୁତ ଗତିରେ ପରିବର୍ତ୍ତିତ ଦୁନିଆରେ ତାଙ୍କ ଜୀବନ ଆମକୁ ଜ୍ଞାନ, ମାର୍ଗଦର୍ଶନ ଏବଂ ଉଦ୍ଭାବନରେ ରହିଥିବା ଦୃଢ଼ ସାମର୍ଥ୍ୟ ବିଷୟରେ ସ୍ମରଣ କରାଇ ଦେଇଥାଏ। ସେ ଜଣେ ଅନୁଷ୍ଠାନ ନିର୍ମାତା ମଧ୍ୟ ଥିଲେ। ସେ ଏମିତି ଅନେକ ଅନୁଷ୍ଠାନ ନିର୍ମାଣ କରିଛନ୍ତି, ଯେଉଁଠି ବ୍ୟାପକ ଗବେଷଣା କରାଯାଉଛି। ମାନିଲାସ୍ଥିତ ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକ ଭାବରେ ସେ ଦାୟିତ୍ୱ ନିର୍ବାହ କରିଥିଲେ। ତାଙ୍କର ପ୍ରୟାସ ଯୋଗୁ ୨୦୧୮ରେ ବାରାଣସୀରେ ଦକ୍ଷିଣ ଏସିଆ ଆଞ୍ଚଳିକ ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ଖୋଲାଯାଇଥିଲା।
ଡକ୍ଟର ସ୍ବାମୀନାଥନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ମୁଁ ପୁଣି ଥରେ ‘କୁରାଲ’ର ଉଦାହରଣ ଦେବି। ସେଥିରେ ଲେଖାଯାଇଛି, ”କୌଣସି ଯୋଜନା ପ୍ରସ୍ତୁତ କରୁଥିବା ବ୍ୟକ୍ତିର ମନୋବଳ ଦୃଢ଼ ଥିଲେ, ସେ ଯାହା ପାଇବାକୁ ଚାହୁଁଛନ୍ତି ଏବଂ ଯେପରି ଉପାୟରେ ପାଇବାକୁ ଚାହୁଁଛନ୍ତି ତାହା ସେ ନିଶ୍ଚିତ ଭାବେ ପାଇବେ।“ ଡକ୍ଟର ସ୍ବାମୀନାଥନ ଏପରି ଜଣେ ବିଶିଷ୍ଟ ବ୍ୟକ୍ତି ଥିଲେ ଯିଏକି ନିଜ ଜୀବନର ଆଦ୍ୟଭାଗରେ କୃଷିକୁ ସୁଦୃଢ଼ କରିବାକୁ ଏବଂ କୃଷକଙ୍କ ସେବା କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ଏହାକୁ ଅତ୍ୟନ୍ତ ଅଭିନବ ଢଙ୍ଗରେ ଏବଂ ଉତ୍ସାହର ସହ କରିଥିଲେ। ଡ. ସ୍ବାମୀନାଥନଙ୍କ ଅବଦାନ ଆମକୁ କୃଷି ଉଦ୍ଭାବନ ଏବଂ ଦୀର୍ଘସ୍ଥାୟିତ୍ୱ ପଥରେ ଆଗକୁ ବଢ଼ିବା ସମୟରେ ଅନୁପ୍ରାଣିତ କରିବା ସହ ମାର୍ଗଦର୍ଶନ ଦେବା ଜାରି ରଖିଛି। ଚାଷୀଙ୍କ ହିତ ପାଇଁ କାମ କରିବା, ବୈଜ୍ଞାନିକ ଉଦ୍ଭାବନର ପରିଣାମକୁ ଆମର ବିସ୍ତାରିତ କୃଷି କ୍ଷେତ୍ର ପର୍ଯ୍ୟନ୍ତ ପହଞ୍ଚାଇବା ଏବଂ ଭବିଷ୍ୟତ ପିଢ଼ି ପାଇଁ ଅଭିବୃଦ୍ଧି, ଦୀର୍ଘସ୍ଥାୟିତ୍ୱ ଓ ସମୃଦ୍ଧିକୁ ପ୍ରୋତ୍ସାହନ ଦେବା ଲାଗି ତାଙ୍କର ପ୍ରିୟ ସିଦ୍ଧାନ୍ତ ପ୍ରତି ଆମେ ଆମର ପ୍ରତିବଦ୍ଧତାକୁ ଦୋହରାଇବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri