‘କ୍ୟୁଆର୍‌ଏସ୍‌ଏଏମ୍‌’ର ପରୀକ୍ଷଣ ସଫଳ

ବାଲେଶ୍ୱର ଅଫିସ, ୧୮।୧୧: ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ଆଇଟିଆର୍‌ (ସମନ୍ବିତ ପରୀକ୍ଷଣ କେନ୍ଦ୍ର ପରିସର) ୩ନଂ. ଲଞ୍ଚପ୍ୟାଡ୍‌ରୁ ମଙ୍ଗଳବାର ‘କ୍ୟୁଆର୍‌ଏସ୍‌ଏଏମ୍‌’ (କୁଇକ୍‌ ରିଆକ୍‌ସନ୍‌ ସର୍ଫେସ୍‌ ଟୁ ଏୟାର) କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ ହୋଇଛି। ଏହା ପାଇଲଟ ବିହୀନ ଟାର୍ଗେଟ୍‌ ଏୟାରକ୍ରାଫ୍ଟ ‘ବଂଶୀ’କୁ ଭେଦ କରିଛି। ପ୍ରଥମଥର ପାଇଁ ଏଥିରେ ଜୀବନ୍ତ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇଛି। କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୩୦ କି.ମି.। ସ୍ଥଳଭାଗରୁ ଆକାଶକୁ ଲକ୍ଷ୍ୟଭେଦ ସହ ଶତ୍ରୁପକ୍ଷର ଏୟାରକ୍ରାଫ୍ଟକୁ ଏହି କ୍ୟୁଆର୍‌ଏସଏଏମ୍‌ରେ ଧ୍ୱଂସ କରିହେବ। ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ (ଡିଆର୍‌ଡିଓ) ପକ୍ଷରୁ ଏହି କ୍ଷେପଣାସ୍ତ୍ରକୁ ବିକଶିତ କରାଯାଇଛି।