୩୦ ଅଭିଯୁକ୍ତଙ୍କୁ ୨ ବର୍ଷ ଲେଖାଏ ଜେଲ

ବାଲିଗୁଡା,୨୯ା୭(ଡି.ଏନ୍‌.ଏ.): ବହୁଚର୍ଚ୍ଚିତ ୨୦୦୮ କନ୍ଧମାଳ ଦଙ୍ଗା ମାମଲାର ବିଚାର କରି କନ୍ଧମାଳ ଜିଲା କୋଟଗଡ଼ ପ୍ରଥମ ଶ୍ରେଣୀ ବିଚାରପତି ଅନୁରାଗ ଦେହୁରୀ ଗୁରୁବାର ରାୟ ପ୍ରକାଶ କରିଛନ୍ତି। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ବିଚାରପତି ଦେହୁରୀ ୩୦ଜଣ ଅଭିଯୁକ୍ତଙ୍କୁ ୨ ବର୍ଷ ଲେଖାଏ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏପରିକି ପ୍ରତ୍ୟେକଙ୍କୁ ୧ ହଜାର ଟଙ୍କା ଲେଖାଏ ଜରିମାନା ଆଦେଶ ଦେଇଛନ୍ତି। ଦଙ୍ଗାର ଦୀର୍ଘ ୧୩ ବର୍ଷ ପରେ ଏହି ରାୟ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ୨୦୦୮ ସେପ୍ଟେମ୍ବର ୨ରେ କୋଟଗଡ଼ ବଣ୍ଡାପିପିଲି ଗ୍ରାମର ଅତୁଲ ପରିଚ୍ଛା ତାଙ୍କ ଘର ଭାଙ୍ଗି ପୋଡି ନଷ୍ଟ କରିବା, ମାରଣାସ୍ତ୍ର ଦେଖାଇ ଜୀବନରେ ମାରିଦେବାକୁ ଧମକ ଦେବା ନାମରେ ୩୦ଜଣଙ୍କ ନାଁରେ କୋଟଗଡ଼ ଥାନାରେ ଏତଲା ଦେଇଥିଲେ। ଅଭିଯୋଗକୁ ଭିତ୍ତିକରି କୋଟଗଡ଼ ପୋଲିସ ଏକ ମାମଲା (ନଂ. ୩୩/୨୦୦୮) ରୁଜୁ କରିଥିଲା। ମୁଦାଲାଙ୍କ ପକ୍ଷରୁ ଲମ୍ବୋଦର ପଣ୍ଡା ଓ ସରକାରଙ୍କ ପକ୍ଷରୁ ସବିତା ସାମନ୍ତରାଏ ମକଦ୍ଦମା ପରିଚାଳନା କରୁଥିଲେ।