ବିଧାୟିକାଙ୍କୁ ୭ କି.ମି. ଚଲାଇଲେ ଲୋକେ

ଠାକୁରମୁଣ୍ଡା,୨୩।୧(ଡି.ଏନ.ଏ.): ଝାଡ଼ଖଣ୍ଡୀ ହାତୀପଲଙ୍କ ଉତ୍ପାତରେ ଅତିଷ୍ଠ ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜ ଅଞ୍ଚଳବାସୀ ଶୁକ୍ରବାର କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମଙ୍କୁ ୭ କି.ମି. ଦୂର କ୍ଷତିଗ୍ରସ୍ତ ଗ୍ରାମକୁ ଚଲାଇ ଚଲାଇ ନେବା ଚର୍ଚ୍ଚାର ବିଷୟ ହୋଇଛି। ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ କରଞ୍ଜିଆ-ଯଶିପୁର ୨୨୦ନଂ. ଜାତୀୟ ରାଜପଥକୁ ତାଟୋ ନିକଟରେ ଅବରୋଧ କରିବା ସହ ଦୁଧିଆଣି ରେଞ୍ଜ କାର୍ଯ୍ୟାଳୟ ଘେରାଉ କରିଥିବା ମଧ୍ୟ ସୂଚନା ମିିଳିଛି।
ସୂଚନା ଅନୁଯାୟୀ, ୨୩ ଟିକିଆ ଝାଡ଼ଖଣ୍ଡୀ ହାତୀପଲ ଦୀର୍ଘ ୫ ମାସ ହେଲା ଦୁଧିଆଣି ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ପଶି ଉତ୍ପାତ କରୁଛନ୍ତି। ହାତୀପଲ ଲୋକଙ୍କ ଘର, ଫସଲକୁ ନଷ୍ଟ କରିଦେଉଥିବା ବେଳେ ସ୍ଥାନୀୟ ବନବିଭାଗ ଓ ପ୍ରଶାସନ କୌଣସି ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରିନାହିଁ। କ୍ଷତିଗ୍ରସ୍ତଙ୍କୁ ସହାୟତା ମିଳୁ ନ ଥିବାରୁ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଗୁରୁବାର ହାତୀ ପଲ କାଦମଡ଼କ ଗ୍ରାମରେ ପଶି ବ୍ୟାପକ କ୍ଷୟକ୍ଷତି କରିଥିଲେ। ହାତୀ ଉପଦ୍ରବରେ ଅତିଷ୍ଠ କାଦମଡ଼କ, ତାଟୋ, କୁଞ୍ଜିଆ,ବିଉରିଆ,ନାକୁ, ସଲରାପଦା, ପାହାଡ଼ମଡ଼କ ପ୍ରଭୃତି ଗ୍ରାମର ଲୋକେ କ୍ଷତିପୂରଣ ଦାବି ସହ ସ୍ଥାୟୀ ପ୍ରତିକାର ଦାବିରେ ରାସ୍ତା ଅବରୋଧ ସହ ରେଞ୍ଜ କାର୍ଯ୍ୟାଳୟ ଘେରାଉ କରିଥିଲେ। ଏହି ସମୟରେ ବିଧାୟିକା ହେମ୍ବ୍ରମ ସେହି ରାସ୍ତା ଦେଇ ଯାଉଥିବା ସମୟରେ ରାସ୍ତା ଅବରୋଧ ଯୋଗୁ ଅଟକି ଯାଇଥିଲେ। ଲୋକେ ବିଧାୟିକାଙ୍କୁ ସେମାନଙ୍କ ସମସ୍ୟା ସମ୍ପର୍କରେ ଜଣାଇଥିଲେ। ଆଲୋଚନା ସମୟରେ ଉତ୍ତ୍ୟକ୍ତ ଲୋକେ ବିଧାୟିକା ଗାଁକୁ ଯାଇ ଉଜୁଡ଼ା କ୍ଷେତ ଦେଖନ୍ତୁ ବୋଲି କହିଥିଲେ। ଶେଷରେ ଉତ୍ତ୍ୟକ୍ତ ଲୋକମାନଙ୍କ ସହିତ ବିଧାୟିକାଙ୍କୁ ୭ କି.ମି. ଦୂର କାଦାମଡ଼କ ଗାଁକୁ ଚାଲିଚାଲି ଯିବାକୁ ପଡିଥିଲା। ଘଟଣାସ୍ଥଳରେ ପୂର୍ବରୁ ଉପସ୍ଥିତ ଥିବା କରଞ୍ଜିଆ ଥାନା ଅଧିକରିଣୀ ସରୋଜିନୀ ସିଂ, ଏସିଏଫ୍‌ ଦିଗନ୍ତ ପାଲ୍‌, ରେଞ୍ଜର ସରୋଜ ପଣ୍ଡା, ପ୍ରବୀର ମୁର୍ମୁ ମଧ୍ୟ ଚାଲିଚାଲି କ୍ଷତିଗ୍ରସ୍ତ ଗାଁକୁ ଯାଇ ହାତୀପଲଙ୍କ ଦ୍ୱାରା ନଷ୍ଟ ହୋଇଥିବା ସ୍ଥାନ ଦେଖିଥିଲେ। କ୍ଷୟକ୍ଷତି ଆକଳନ ପରେ କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇ ଦିଆଯିବ ଏବଂ ହାତୀପଲ ଘଉଡ଼ାଇବା ପାଇଁ ଉଦ୍ୟମ କରାଯାଉଛି ବୋଲି ଏସିଏଫ ପାଲ୍‌ କହଛନ୍ତି। ଏ ସଂକ୍ରାନ୍ତରେ ବିଧାୟିକା ହେମ୍ବ୍ରମଙ୍କୁ ପଚାରିବାରୁ ଲୋକଙ୍କ ସମସ୍ୟା ବୁଝିବା ପାଇଁ ମଁୁ କ୍ଷତିଗ୍ରସ୍ତ ଅଞ୍ଚଳକୁ ଯାଇଥିଲି। କ୍ଷତିଗ୍ରସ୍ତଙ୍କୁ କିପରି ସହାୟତା ମିଳିବ ସେଥିନେଇ ବନ ବିଭାଗ ସହ ଆଲୋଚନା କରିଥିବା କହିଥିଲେ।