Categories: ଜାତୀୟ

ସିଜେଆଇ ଥିବାବେଳେ ୪୦ ପିଅନ ରଖିଥିଲେ

ନୂଆଦିଲ୍ଲୀ,୨୮ା୧୨: ଭାରତର ପୂର୍ବତନ ପ୍ରଧାନ ବିଚାରପତି (ସିଜେଆଇ) ୟୁ.ୟୁ. ଲଲିତ ତାଙ୍କର ୭୪ ଦିନିଆ କାର୍ଯ୍ୟକାଳ ମଧ୍ୟରେ ତାଙ୍କ ସରକାରୀ ବାସଭବନରେ ସର୍ବାଧିକ ୪୦ ଜଣ ପିଅନ ଓ ସହାୟକ କର୍ମଚାରୀ ରଖିଥିଲେ। ରାଷ୍ଟ୍ରପତି ଭବନ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବାଦ୍‌ ଦେଲେ ଅନ୍ୟ କୌଣସି ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତି ଏତେ ସଂଖ୍ୟାରେ ସହାୟକ କର୍ମଚାରୀ ରଖିନାହାନ୍ତି। ଜଷ୍ଟିସ୍‌ ଲଲିତ ୪୯ତମ ସିଜେଆଇ ଭାବେ ଗତ ଅଗଷ୍ଟ ୨୭ରୁ ନଭେମ୍ବର ୮ ପର୍ଯ୍ୟନ୍ତ ରହିଥିଲେ। ସେ ପିଅନ ଏବଂ ସହାୟକମାନଙ୍କୁ ନିଜ ଘରକାମ ଓ ଆବାସିକ କାର୍ଯ୍ୟାଳୟରେ ନିୟୋଜିତ କରିଥିଲେ। ଅବସର ଗ୍ରହଣ ପରେ ବି ତାଙ୍କ ୧୯, ଆକବର ରୋଡ୍‌ ବାସଭବନରେ ୨୮ ଜଣ ପିଅନ ଓ ସହାୟକ କର୍ମଚାରୀ ରହିଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ କେତେଜଣ ବିଭିଜି ଇଣ୍ଡିଆ କର୍ମଚାରୀ, ଯାହାଙ୍କୁ ସୁପ୍ରିମକୋର୍ଟ ସଫେଇ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି ଆଉଟ୍‌ସୋର୍ସିଂ କରିଥାଏ।
ସରକାରୀ ସୂଚନା ଅନୁଯାୟୀ ପୂର୍ବରୁ ସିଜେଆଇମାନଙ୍କ ସରକାରୀ ବାସଭବନରେ ୧୨ରୁ ୧୫ ଜଣ ପିଅନ ଓ ସହାୟକ କର୍ମଚାରୀ ରହୁଥିଲେ। ଅବସର ପରେ ସେମାନଙ୍କୁ ୨ କିମ୍ବା ୩ ଜଣ ସହାୟକ କର୍ମଚାରୀ ଯୋଗାଇଦିଆଯାଇଥାଏ। ଅବସର ପରେ ସିଜେଆଇ ଦିଲ୍ଲୀରେ ରହିଲେ ଏହି କର୍ମଚାରୀଙ୍କୁ ସୁପ୍ରିମକୋର୍ଟ ଯୋଗାଇଥାଏ। ଯଦି ସେ ନିଜ ରାଜ୍ୟକୁ ଫେରିଯାଆନ୍ତି, ତେବେ ତାଙ୍କ ପାଇଁ ସହାୟକ କର୍ମଚାରୀ ବ୍ୟବସ୍ଥା ସମ୍ପୃକ୍ତ ହାଇକୋର୍ଟ କରିଥାନ୍ତି।
ଗତ ଅଗଷ୍ଟରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟ ବିଚାରପତି ନିୟମାବଳୀ, ୧୯୫୯ରେ ସଂଶୋଧନ କରି ଅବସରପ୍ରାପ୍ତ ସିଜେଆଇଙ୍କୁ ୬ ମାସ ବିନା ଭଡ଼ାରେ ଟାଇପ୍‌-୭ ବାସଭବନ ଯୋଗାଇଦେବା ବ୍ୟବସ୍ଥା ହୋଇଛି। ପୂର୍ବତନ ସିଜେଆଇ ଏନ୍‌.ଭି.ରମନାଙ୍କୁ ୨ ତୋଗଲକ୍‌ ରୋଡ୍‌ରେ ୬ ମାସ ପାଇଁ ଘର ମିଳିଥିବାବେଳେ ଜଷ୍ଟିସ୍‌ ଲଲିତଙ୍କୁ ଶାହଜାହାନ ରୋଡ୍‌ରେ ବଙ୍ଗଳା ମିଳିଥିଲା। ତେବେ ଉକ୍ତ ବିଲ୍ଡିଂର ଆକୃତି ଭଲ ନ ଥିବା ଦର୍ଶାଇ ଜଷ୍ଟିସ୍‌ ଲଲିତ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ। ନୂଆ ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ୧୯, ଆକବର ରୋଡ୍‌କୁ ଯିବା ପାଇଁ ନିଷ୍ପତ୍ତି ନେବାରୁ ଜଷ୍ଟିସ୍‌ ଲଲିତଙ୍କୁ ୧୭ ସଫଦରଜଙ୍ଗ ରୋଡ୍‌ରେ ଏହାର ଏକ ପୁଲ୍‌ ବଙ୍ଗଳା ଯୋଗାଇ ଦିଆଯାଇଛି। ନୂଆବର୍ଷରେ ସେ ଏହି ବଙ୍ଗଳାକୁ ଯିବେ। ଘର ବଦଳାଇବା ପରେ ବର୍ତ୍ତମାନର ୨୮ ଜଣ କର୍ମଚାରୀଙ୍କ ମଧ୍ୟରୁ ଅନୂ୍ୟନ ୧୨ ଜଣଙ୍କୁ ଯୋଗାଇଦେବା ନିମନ୍ତେ ସେ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି।

Share