Categories: ଖେଳ

‘ସେ ଟଙ୍କା ନୁହେଁ, ଖେଳିବାକୁ ଚାହାନ୍ତି’

ମୁମ୍ବାଇ,୨୮।୧: ଦୀପକ ହୁଡା ଟଙ୍କା ନୁହେଁ, କ୍ରିକେଟ ଖେଳିବାକୁ ଭଲ ପାଆନ୍ତି। ଯେମିତି ଚକୋଲେଟ୍‌ ପ୍ରତି ଲୋକଙ୍କ ଭଲ ପାଇବା ଥାଏ, ଠିକ୍‌ ସେମିତି ସେ ଫିଲ୍ଡରେ ରହିବାକୁ ଭଲ ପାଆନ୍ତି। ୨୬ ବର୍ଷୀୟ ଅଲରାଉଣ୍ଡରଙ୍କ ସମ୍ପର୍କରେ ଏଭଳି କହିଛନ୍ତି ପୂର୍ବତନ ଅଲରାଉଣ୍ଡର ଇର୍ଫାନ ପଠାନ। ହୁଡାଙ୍କୁ ଆଗାମୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସୀମିତ ଓଭର ସିରିଜ୍‌ ଲାଗି ଘୋଷିତ ଭାରତୀୟ ଦଳରେ ସ୍ଥାନ ମିଳିଛି। ବରୋଦା ଖେଳାଳିଙ୍କୁ ଏଥି ପୂର୍ବରୁ ୨୦୧୭ରେ ଜାତୀୟ ଦଳରୁ ଡକରା ଆସିଥିଲା। ହେଲେ ଖେଳିବାକୁ ସୁଯୋଗ ପାଇ ନ ଥିଲେ।

ଗତ ବର୍ଷକ ମଧ୍ୟରେ ହୁଡାଙ୍କ ଜୀବନ ସମସ୍ୟାରେ ଭରି ରହିଥିଲା। ୨୦୨୦-୨୧ରେ ଅଧିନାୟକ କ୍ରୁନାଲ ପାଣ୍ଡ୍ୟାଙ୍କ ସହ ଯୁକ୍ତିତର୍କ ପରେ ବରୋଦା ଦଳର ହୋଟେଲ ଛାଡ଼ି ଚାଲି ଆସିଥିଲେ ହୁଡା। ସାଧାରଣତଃ ଖେଳାଳିମାନେ ନିଜ ରାଜ୍ୟ ବୋର୍ଡରୁ ଅଲଗା ହେବା ପରେ ଘରୋଇ କ୍ରିକେଟରେ ଛୋଟ ଦଳକୁ ଯାଆନ୍ତି। ଯାହାଫଳରେ ସେମାନଙ୍କୁ ମ୍ୟାଚ୍‌ ଫି’ରୁ ଅଧିକ ଟଙ୍କା ମିଳିବ। କିନ୍ତୁ ଦୀପକ ପେଶାଦାର କ୍ରିକେଟ ପାଇଁ ରାଜସ୍ଥାନ ଦଳ ସହ ଯୋଡ଼ି ହୋଇଥିଲେ। ଏଥି ଲାଗି ଆରସିଏକୁ ଅତିରିକ୍ତ ଟଙ୍କା ମାଗି ନ ଥିଲେ। ଯାହାକି ଉଭୟ ପକ୍ଷଙ୍କୁ ସୁହାଇ ଥିଲା।

“ସେ କ୍ରିକେଟ ଖେଳିବାକୁ ଚାହାନ୍ତି। ସାଧାରଣତଃ ପେଶାଦାର କ୍ରିକେଟର ଟଙ୍କା ବାଛନ୍ତି। କିନ୍ତୁ ସେ ସେଭଳି କିଛି ଦାବି କରି ନ ଥିଲେ। ସେ କେଉଁ ଭଳି ପରିସ୍ଥିତିରେ ଆମ ପାଖକୁ ଆସିଥିଲେ ଆମକୁ ଜଣାଥିଲା। ଆମକୁ ତାଙ୍କ ଭଳି ଜଣେ ବ୍ୟାଟିଂ ଅଲରାଉଣ୍ଡରଙ୍କ ଆବଶ୍ୟକତା ଥିଲା, ଯିଏକି ସ୍ଥାନୀୟ ଯୁବ ଖେଳାଳିଙ୍କୁ ଗାଇଡ୍‌ କରିପାରିବ। ସେ ଭଲ ପ୍ରଦର୍ଶନ କରି ଜାତୀୟ ଦଳରେ ସ୍ଥାନ ପାଇଥିବାରୁ ଆମେ ଗର୍ବିତ” ବୋଲି ଆର୍‌ସିଏ ସମ୍ପାଦକ ମହେନ୍ଦ୍ର ଶର୍ମା କହିଛନ୍ତି।

ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟରେ ସର୍ବାଧିକ ରନ୍‌ କରିଥିବା ବ୍ୟାଟରଙ୍କ ତାଲିକାରେ ସେ ଦ୍ୱିତୀୟ ସ୍ଥାନରେ ଥିଲେ। ୨୦୧୩ରେ ଇର୍ଫାନ ପଠାନ ବରୋଦା ଦଳର ମେଣ୍ଟର ଥିବା ବେଳେ କ୍ୟାରିୟର ଆରମ୍ଭ କରିଥିଲେ ଦୀପକ ହୁଡା।

“ଏହା ସତ କଥା। ଅନେକ ଦଳ ତାଙ୍କୁ ଚାହୁଁ ଥିଲେ। ସେ ଟଙ୍କାକୁ ଖାତିର କରନ୍ତି ନାହିଁ। ସେ କେବଳ ଖେଳିବାକୁ ଚାହାନ୍ତି। ତାଙ୍କ ନିଷ୍ପତ୍ତି ଆରସିଏର ଅଧିକାରୀଙ୍କୁ ଚକିତ କରି ଦେଇଥିଲା। ସେ ଟଙ୍କା କଥା ଉଠାଇ ନ ଥିଲେ” ବୋଲି ଇର୍ଫାନ କହିଛନ୍ତି।

 

Share