ଘାରିଲା ସାମାଜିକ ବାସନ୍ଦ ଭୟ: ଛୁଇଁଲେନି କୁଷ୍ଠରୋଗୀଙ୍କ ମୃତଦେହ

ସମ୍ବଲପୁର,୨୧।୧୧(ବ୍ୟୁରୋ): କୃଷ୍ଠ ରୋଗରେ ପୀଡିତ ହେବା ପରେ ଗ୍ରାମରୁ ବାସନ୍ଦ ହୋଇ ପ୍ରାୟ ୧୦ ବର୍ଷରୁ ଊର୍ଦ୍ଧ୍ୱ ହେବ ସମାଜ ଓ ଜାତିଠାରୁ ଦୂରେଇ ରହି ବହୁ କଷ୍ଟରେ ଜୀବନ କାଟୁଥିବା ବ୍ୟକ୍ତିଙ୍କ ଏବେ ମୃତ୍ୟୁ ଘଟିଛି। ଗାଁ ବାହାରେ ଏକ କୁଡିଆରେ ଶୋଇଥିବା ସମୟରେ ରବିବାର ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ପ୍ରାୟ ୮ଘଣ୍ଟା ଧରି କୁଡିଆ ଭିତରେ ପଡିରହିଥିଲା ନୀଳାରାମ ଭୋଇ (୬୦)ଙ୍କ ମୃତଦେହ। ନିକଟରେ ବନ୍ଧୁ, ପରିଜନ ଓ ଗ୍ରାମବାସୀ ଉପସ୍ଥିତ ରହିଥିଲେ। ହେଲେ ସାମାଜିକ ବାସନ୍ଦ ଭୟରେ ଅନ୍ତିମ ସଂସ୍କାର ପାଇଁ କେହି ଆଗେଇ ଆସି ନ ଥିଲେ। ଶେଷରେ ପରିବାର ଲୋକଙ୍କ ସହମତିରେ ସାମାଜିକ ଅନୁଷ୍ଠାନ ସମ୍ବଳ ପକ୍ଷରୁ ତାଙ୍କର ଶେଷକୃତ୍ୟ କରାଯାଇଛି। ଏଭଳି ଏକ ହୃଦହ ବିଦାରକ ଘଟଣା ଘଟିଛି ସମ୍ବଲପୁର ଜିଲା ଧମା ଥାନା ବନ୍ଦନାପାଲି ଗ୍ରାମରେ।