ଜଙ୍ଗଲ କାଟି ପୋଡ଼ି ଦେଲେ

କେନ୍ଦୁଝର,୧୦।୪(ସ୍ବ.ପ୍ର.)- କେନ୍ଦୁଝର ଜିଲା ଭୂୟାଁ ଜୁଆଙ୍ଗ ପୀଢ଼ ରେଞ୍ଜ ଓ ତେଲକୋଇ ରେଞ୍ଜ ସୀମାନ୍ତରେ ଥିବା ଜଙ୍ଗଲ ବିଭିନ୍ନ କାରଣରୁ ପଦା ହେବାକୁ ବସିଛି। ସେହିପରି କାଞ୍ଜିପାଣି-ଓରିଆ-ତେଲକୋଇ ଘାଟି ରାସ୍ତାରେ ବ୍ୟାପକ ଜଙ୍ଗଲ କଟାଯାଇ ପୋଡ଼ି ଦିଆଯିବା ଘଟଣାକୁ ନେଇ ପରିବେଶବିତ୍‌ମାନେ ଚିନ୍ତା ପ୍ରକଟ କରିଛନ୍ତି। ହେକ୍ଟର ହେକ୍ଟର ପରିମିତ ଜଙ୍ଗଲରୁ ଦୁର୍ବୃତ୍ତମାନେ ଗଛ କାଟି ଦେବା ପରେ ପୋଡ଼ି ଦେଇଛନ୍ତି। ଏନେଇ ବନ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ମୁଖ୍ୟ ରାସ୍ତା କଡ଼ରେ ଏଭଳି ଜଙ୍ଗଲକୁ କାଟି ପୋଡ଼ିି ଦିଆଯାଇଥିବାରୁ ବନ୍ୟଜନ୍ତୁ, ପକ୍ଷୀ ଆଦି ବାସହରା ହୋଇ ଅନ୍ୟତ୍ର ପଳାୟନ କରୁଥିବା ଦେଖିବାକୁ ମିଳିଛି। ଜଙ୍ଗଲ ପୋଡ଼ିରେ ଅନେକ ମୂଲ୍ୟବାନ ଗଛଲତା ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ବନ୍ୟପ୍ରାଣୀ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି। ବିଶେଷ କରି ପୋଡ଼ୁଚାଷ ପାଇଁ ଏଭଳି ଜଙ୍ଗଲ କାଟି ପୋଡ଼ିି ଦିଆଯାଇଥିବା ଅଭିଯୋଗ ହେଉଛି। ଜଙ୍ଗଲ ସୁରକ୍ଷା ପାଇଁ ବନ ସୁରକ୍ଷା ସମିତି ଗଠନ କରାଯାଇଥିବା ବେଳେ ବନ ବିଭାଗ ପକ୍ଷରୁ କର୍ମଚାରୀ, ସ୍କ୍ବାଡ୍‌ ଆଦି ନିୟୋଜିତ ହୋଇଥିଲେ ହେଁ ଏହାକୁ କିପରି ରୋକାଯାଇ ପାରିଲା ନାହିଁ ତାହା ତଦନ୍ତ ସାପେକ୍ଷ ବୋଲି ପରିବେଶବିତ ଡ.ବିମ୍ବାଧର ବେହେରା କହିଛନ୍ତି। କୋଟି କୋଟି ଟଙ୍କା ମୂଲ୍ୟର ଜଙ୍ଗଲ ସମ୍ପତ୍ତି ନଷ୍ଟ ହୋଇଯାଇଥିବାରୁ ଏନେଇ ସେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏନେଇ ଡିଏଫ୍‌ଓ ସ୍ବୟମ ମଲ୍ଲିକଙ୍କୁ ପଚାରିବାରୁ ସେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି।