ସୁଧ ଟଙ୍କା ପାଇଁ ଘରେ ପଶି ଶ୍ୱଶୁର-ବୋହୂଙ୍କୁ ହାଣିଲେ

ଭୁବନେଶ୍ୱର,୧୧।୪: ରାଜଧାନୀରେ ଗତ ରାତିରେ ଘଟି ଯାଇଛି ଅଭାବନୀୟ ଘଟଣା। ବୁଧବାର ରାତିରେ ଘରେ ପଶି ଶ୍ୱଶୁର,ବୋହୂଙ୍କୁ ହାଣିଛନ୍ତି ଗୋଟିଏ ଗୋଷ୍ଠୀ। ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରର ପଟିଆ ଅଞ୍ଚଳର ପଦ୍ମକେଶରପୁର ଗାଁରେ। ଗୁରୁତରଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ଶ୍ୱଶୁର ସନାତନ ଦାସ ଓ ତାଙ୍କ ବୋହୂ ନିରୁପମା ଦାସ।

ଶ୍ୱଶୁର,ବୋହୂଙ୍କୁ ଗ୍ରାମବାସୀ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଏହାସହ ପୋଲିସକୁ ଘଟଣା ସଂପର୍କରେ ଜଣାଇଛନ୍ତି। ଘଟଣାର ତଦନ୍ତ କରୁଛି ପୋଲିସ। କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ଗାଁରେ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।

ସୂଚନାଯୋଗ୍ୟ, ୪ମାସ ତଳେ ସୁଧ ଟଙ୍କାକୁ ନେଇ ପଦ୍ମକେଶରପୁର ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ସୁଧ ଦେଇଥିବା ଗୋଷ୍ଠୀ ଓ ସୁଧ ଆଣିଥିବା ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ପରେ ଗାଁରେ ପୋଲିସ ଉପସ୍ଥିତିରେ ଶାନ୍ତି କମିଟି ବସି ସମାଧାନ ହୋଇଥିଲା। କୋର କମିଟି ଗଠନ ନ ହେବା ଯାଏ ସୁଧ ଟଙ୍କା ମାଗିବେନି ଗୋଷ୍ଠୀର ଲୋକଙ୍କୁ କୁହାଯାଇଥିଲା ସୂଚନା ରହିଛି। ଏହାପରେ ଗତକାଲି ରାତିରେ ଏହି ସୁଧ ଟଙ୍କା ପାଇଁ ପଦ୍ମକେଶରପୁର ହଣାକଟା ହୋଇଛି।