ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖିବା ପଡ଼ିଥିଲା ମହଙ୍ଗା

ବାଙ୍ଗିରିପୋଷିି,୨୨ା୩: ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧୀନ ଶାଳବଣି ଗ୍ରାମର ଏକାଦଶୀ ବେହେରା ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି। ଜଣେ ବିବାହିତ ମହିଳାଙ୍କ ସହ ସମ୍ପର୍କ ରଖିବାରୁ ତାଙ୍କୁ ହତ୍ୟାକରି ପୋଖରୀରେ ଫିଙ୍ଗି ଦିଆଯାଇଥିଲା ବୋଲି ପୋଲିସ କହିଛି। ଏହି ଘଟଣାରେ ଜନୈକା ମହିଳାଙ୍କ ସମେତ ୩ ଜଣଙ୍କୁ ପୋଲିସ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି।
ଗତ ଫେବୃଆରୀ ୧୨ ତାରିଖ ସକାଳେ ଏକାଦଶୀଙ୍କ ମୃତଦେହ ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା। ମୃତଦେହରେ ଏକାଧିକ କ୍ଷତ ଚିହ୍ନ ଥିବାରୁ ତାଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ପରିବାର ଲୋକେ ବାଙ୍ଗିରିପୋଷି ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଏକ ମାମଲା(ନଂ.୪୫/୨୧) ରୁଜୁ କରିଥିଲା। ସଦର ଏସ୍‌ଡିପିଓ କେ.କେ. ହରିପ୍ରସାଦ ଓ ଥାନା ଅଧିକାରୀ ଦୟାନିଧି ଦାସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ତେବେ ଅଭିଯୁୁକ୍ତଙ୍କୁ ଗିରଫ କରିବାରେ ପୋଲିସ ବିଳମ୍ବ କରିବାରୁ ଗତ ମାର୍ଚ୍ଚ ୨ ତାରିଖରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ଶେଷରେ ପୋଲିସ ଏହି ଘଟଣାର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି। ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ, ମୃତ ଏକାଦଶୀ ସ୍ଥାନୀୟ ଜଣେ ବ୍ୟକ୍ତିଙ୍କ ଘରକୁୁ ପ୍ରାୟ ଯିବା ଆସିବା କରୁଥିଲେ। ଏହାକୁ ନେଇ ସମ୍ପୃକ୍ତ ବ୍ୟକ୍ତି ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ହେଉଥିଲା। ଫେବୃଆରୀ ୧୧ ତାରିଖ ରାତିରେ ଜଣେ ଯୁବକଙ୍କ ସହାୟତାରେ ଭୋଜି କରିବା ବାହାନାରେ ଏକାଦଶୀଙ୍କୁ ଘରକୁ ଡକାଇ ହତ୍ୟା କରିବା ପରେ ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଫିଙ୍ଗି ଦିଆଯାଇଥିଲା।