ସ୍ତ୍ରୀଙ୍କ ନାମରେ ସମ୍ପତ୍ତି କିଣିଛନ୍ତି କି? ନିଜର କହି ପାରିବେନି ସ୍ତ୍ରୀ, କୋର୍ଟଙ୍କ ବଡ଼ ରାୟ

ଲକ୍ଷ୍ନୌ,୨୩।୨: ସ୍ତ୍ରୀଙ୍କ ନାମରେ ସମ୍ପତ୍ତି କିଣିଛନ୍ତି କି? ଏନେଇ ବଡ ରାୟ ଦେଇଛନ୍ତି କୋର୍ଟ। ସାଧାରଣତଃ ପୁରୁଷମାନେ କୌଣସି ଜମି କିମ୍ବା ଘରବାଡି ସମ୍ପତ୍ତି କିଣି କିମ୍ବା ସେଗୁଡିକୁ ନିଜ ପାଖରେ ଥିବା ସମ୍ପତ୍ତିକୁ ସ୍ତ୍ରୀଙ୍କ ନାଁରେ କରିଥା’ନ୍ତି। କିନ୍ତୁ ସମ୍ପତ୍ତି ଯେ କେବଳ ସ୍ତ୍ରୀଙ୍କର ଏହାକୁ ନେଇ କୋର୍ଟ ସଫା ସଫା ମନା କରିଛନ୍ତି।

କୋର୍ଟଙ୍କ ଅନୁସାରେ, ବର୍ତ୍ତମାନ ସ୍ତ୍ରୀଙ୍କ ନାମରେ କିଣିଥିବା ସମ୍ପତ୍ତି ଉପରେ ପରିବାରର ଅଧିକାର ରହିିଛି । ସ୍ତ୍ରୀଙ୍କ ପାଇଁ କିଣିଥିବା ସମ୍ପତ୍ତି ହେଉ କି ଜମି, ସବୁ ଉପରେ ପରିବାର ପ୍ରତ୍ୟେକ ସଦସ୍ୟଙ୍କର ସମାନ ଭାଗ ରହିଛି । ତେଣୁ ପରିବାରର ରୋଜଗାରର ଉତ୍ସ ଭାବରେ ଏହା ପରିବର୍ତ୍ତୀ ସମୟରେ ବ୍ୟବହାର ହୋଇପାରିବ ।

ଆହ୍ଲାବାଦ ହାଇକୋର୍ଟର ଜଷ୍ଟିସ ଅରୁଣ କୁମାର ସିଂ ମାମଲାର ଶୁଣାଣି ସମୟରେ ରାୟ ଶୁଣାଇ କହିଛନ୍ତି ଯେ, ଜଣେ ହିନ୍ଦୁ ପୁରୁଷ ତାଙ୍କ ସ୍ତ୍ରୀଙ୍କ ନାମରେ କିଣିଥିବା ସମ୍ପତ୍ତି ପରିବାରର ସମ୍ପତ୍ତି ହେବ। ଆବେଦନକାରୀ କୋର୍ଟରେ ଦର୍ଶାଇଥିଲେ ଯେ ତାଙ୍କ ମା’ଙ୍କ ନାମରେ ତାଙ୍କ ବାପା ସମ୍ପତ୍ତି କିଣିଥିଲେ । ବର୍ତ୍ତମାନ ସେହି ଜମି ଉପରେ ଏକ କନଷ୍ଟ୍ରକ୍ସନ ନିର୍ମାଣ କରି ସେ ପରିବାର ପ୍ରତିପୋଷଣ କରୁଛନ୍ତି । ଆବେଦନକାରୀଙ୍କ ଓକିଲ ହାଇକୋର୍ଟରେ ଯୁକ୍ତି ଦର୍ଶାଇଥିଲେ ଯେ, ମାଆ ଜଣେ ଗୃହିଣୀ ହୋଇଥିବାରୁ ତାଙ୍କ ନାମରେ କିଣାଯାଇଥିବା ସମ୍ପତ୍ତି ମିଳିତ ପରିବାରର ସମ୍ପତ୍ତି ହେବା ଉଚିତ। ଏହା ବ୍ୟକ୍ତିଗତ ନୁହେଁ ।

ମୃତ ପିତାଙ୍କ ସମ୍ପତ୍ତି ଉପରେ ମାଲିକାନା ଘୋଷଣା ପାଇଁ ପୁଅର ଦାବି ଉପରେ ଶୁଣାଣି କରି ଜଷ୍ଟିସ କହିଛନ୍ତି, ଧାରା ୧୧୪ ଅଧୀନରେ ହିନ୍ଦୁ ସ୍ବାମୀଙ୍କ ଦ୍ୱାରା ସ୍ତ୍ରୀଙ୍କ ନାମରେ କିଣାଯାଇଥିବା ସମ୍ପତ୍ତି, ଯାହାର ନିଜର କୌଣସି ଆୟର ମାଧ୍ୟମ ନାହିଁ । ସେହି ସମ୍ପତ୍ତି ପରିବାରର ହେବ । ଯେବେ ପର୍ଯ୍ୟନ୍ତ ଏହା ଧାର୍ଯ୍ୟ ହୋଇନାହିଁ ଯେ ସେହି ସମ୍ପତ୍ତି ସ୍ତ୍ରୀଙ୍କ ଆୟରୁ କିଣାଯାଇନାହିଁ, ସେବେ ପର୍ଯ୍ୟନ୍ତ ସ୍ବାମୀ ଏହାକୁ କିଣିଛନ୍ତି ବୋଲି ମନାଯିବ । କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ବେନାନୀ ସମ୍ପତ୍ତି ନେଣଦେଣ ନିଷେଧ ଅଧିନିୟମ ୧୯୮୮ ଅନୁସାରେ ସ୍ତ୍ରୀ ଓ ପିଲାଙ୍କ ନାମରେ କିଣାଯାଇଥିବା ସମ୍ପତ୍ତି ବେନାମୀ ସମ୍ପତ୍ତି ଭାବେ ବିବେଚନା କରାଯିବ ନାହିଁ ।

Share