ପଦକ୍ଷେପ ବଦଳରେ ଦୋଷୀକୁ ଦୟା

ଭୁବନେଶ୍ୱର, ୨୨ା୩(ବ୍ୟୁରୋ):ବଡ଼ଗଡ଼ ଥାନା ଅନ୍ତର୍ଗତ ବ୍ରହ୍ମେଶରବାଗ ଅଞ୍ଚଳରେ ଏକ ନିର୍ମାଣାଧୀନ ସ୍ବେରେଜ ଲାଇନ୍‌ ଚାମ୍ବରରେ ଶ୍ୱାସରୁଦ୍ଧ ହୋଇ ୨ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା। ଏହି ସ୍ବରେଜ ଲାଇନ୍‌ କାର୍ଯ୍ୟ ଓ୍ବାଟର କର୍ପୋରେଶନ ଅଫ୍‌ ଓଡିଶା(ଓ୍ବାଟକୋ) କରୁଥିବାବେଳେ ଲକ୍ଷ୍ମୀ କନଷ୍ଟ୍ରକ୍ସନ ଠିକା ନେଇଛି। ଅବହେଳା ଓ ଖାମଖିଆଲ ଯୋଗୁ ଏପରି ଦୁଃଖଦ ଘଟଣା ଘଟିଥିଲା। ଘଟଣା ପରେ ଓ୍ବାଟ୍‌କୋ ଏମ୍‌ଡି ପି.କେ. ସ୍ବାଇଁ ଅବହେଳାକୁ ସ୍ବୀକାର କରିବା ସହ ବିଭାଗୀୟ ଅଧିକାରୀ ଓ ଠିକା ସଂସ୍ଥାକୁ ଦାୟୀ କରିଥିଲେ। ଏଥିସହ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ହେଲେ ୩ଦିନ ବିତିଯାଇଥିଲେ ମଧ୍ୟ ପଦକ୍ଷେପ ବଦଳରେ ଦୋଷୀଙ୍କୁ ଦୟା ସଦୃଶ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ଜଣାପଡିଛି। ଓ୍ବାଟ୍‌କୋ କେବଳ କ୍ଷତିପୂରଣ ଦେଇ ଦାୟିତ୍ୱ ସାରିଥିବାବେଳେ ପୋଲିସ କେବଳ ଅପମୃତ୍ୟୁ ମାମଲା ରୁଜୁ କରି ଚୁପ୍‌ ବସିଛି। କାହିଁକି ପୋଲିସ ଆପରାଧିକ ମାମଲା ରୁଜୁ କଲାନି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଭଳି ଆଭିମୁଖ୍ୟ ଦୋଷୀଙ୍କୁ ଆଉଏକ ଭୁଲ୍‌ ପାଇଁ ସୁଯୋଗ ଦେବ ଓ ଅନେକ ଜୀବନ ନେଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି।
ତେବେ ଏ ସମ୍ପର୍କରେ ଓ୍ବାଟ୍‌କୋ ଏମ୍‌ଡି ସ୍ବାଇଁ କହିଛନ୍ତି, ଶ୍ରମିକଙ୍କ ମୃତ୍ୟୁ ଘଟଣାର ସମାଧାନ ହୋଇଛି। ଉଭୟ ଶ୍ରମିକଙ୍କୁ କ୍ଷତିପୂରଣ ବାବଦକୁ ୧୦ ଲକ୍ଷ ଲେଖାଏ ଦିଆଯାଇଛି। ଏବେ ଘଟଣା ସମ୍ପର୍କରେ ସରକାର ବୁଝିବେ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଗତ ଶୁକ୍ରବାର ୩ଜଣ ଶ୍ରମିକ ପାଇପ୍‌ ସଂଯୋଗ ପାଇଁ ସେଠାରେ ପହଞ୍ଚତ୍ଥିଲେ। ଜଣେ ପରେ ଆଉଜଣେ ଶ୍ରମିକ ଭିତରକୁ ଯାଇ ନ ବାହାରିବାରୁ ଉପରେ ଥିବା ଅନ୍ୟଜଣେ ଘଟଣାସ୍ଥଳରୁ ପଳାଇଥିଲେ। ସ୍ଥାନୀୟ ଲୋକେ ଜାଣିବାବେଳକୁ ବହୁ ବିଳମ୍ବ ହୋଇଯାଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚତ୍ ୨ଜଣଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଶ୍ରମିକ ହେଲେ ଝାଡ଼ଖଣ୍ଡର ସୁନାରାମ ସର୍ଦ୍ଦାର(୫୫) ଓ ମୟୂରଭଞ୍ଜର ସିଲୁ ବିରୁଆ(୨୫)। ତେବେ ଅମ୍ଳଜାନ ଓ ଆବଶ୍ୟକ ସୁରକ୍ଷା ଉପକରଣ ନ ଥିବାରୁ ଦୁଇଟି ଜୀବନ ଅକାରଣରେ ଝଡ଼ିପଡ଼ିଥିଲା। ଏସବୁ କାମବେଳେ ଠିକା ସଂସ୍ଥା ସୁରକ୍ଷା ନିୟମ ଉଲ୍ଲଂଘନ କରିଥିବାବେଳେ ଓ୍ବାଟ୍‌କୋର ଅଧିକାରୀମାନେ ଠିକ୍‌ ଭାବେ ତଦାରଖ ନ କରିବାରୁ ଏହି ଘଟଣା ଘଟିଥିଲା।