Categories: ଗଞ୍ଜାମ

ହାତୀବନ୍ଧ ପାର୍କ କାମ ଆରମ୍ଭ

ଭଞ୍ଜନଗର,୧୬।୫(ଡି.ଏନ.ଏ.): ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଉଦ୍ୟମ କ୍ରମେ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ଶାଖା ପଛପଟେ ଥିବା ହାତୀବନ୍ଧ ପାର୍କ କାମ ଗତ କିଛି ଦିନ ହେଲା ଆରମ୍ଭ ହୋଇଛି। ଏବେ ଉକ୍ତ ପୋଖରୀରୁ ପାଣି ନିଷ୍କାସନ କରାଯାଇ ସଫେଇ ଚାଲିଛି। ପୋଖରୀ ପୁନରୁଦ୍ଧାର ସହ ଅନ୍ୟାନ୍ୟ କାମ ହେବ। ରବିବାର ମନ୍ତ୍ରୀ ଆରୁଖ ପାର୍କ କାମ ବୁଲି ଦେଖିଛନ୍ତି। ପାର୍କରେ ଲୋକେ ଚାଲିବା ପାଇଁ ରାସ୍ତା, ବ୍ୟାୟମ କେନ୍ଦ୍ର, ମ୍ୟୁଜିକ୍‌ ଫାଉଣ୍ଟେନ, ବୋଟିଂ ଆଦି ସୁବିଧା କରାଯିବ। ମନ୍ତ୍ରୀଙ୍କ ଗସ୍ତ ସମୟରେ ଭଞ୍ଜନଗର ଏନ୍‌ଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଏନ୍‌ଏସି ଯନ୍ତ୍ରୀ ସୁଶାନ୍ତ କୁମାର ସାହୁଙ୍କ ସମେତ ଜଳସମ୍ପଦ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ହାତୀବନ୍ଧ ପୋଖରୀରେ ବ୍ରିଟିଶ ଶାସକ ମାନଙ୍କ ସେବାରେ ଥିବା ହାତୀମାନଙ୍କୁ ଗାଧୁଆ ଯାଉଥିଲା। ତେଣୁ ଉକ୍ତ ପୋଖରୀ ପରବର୍ତ୍ତୀ ପର୍ଯ୍ୟାୟରେ ହାତୀବନ୍ଧ ଭାବେ ପରିଚିତ ହୋଇଥିଲା। ସହରର ମୁଖ୍ୟସ୍ଥଳରେ ପୋଖରୀଟି ଥିଲେ ମଧ୍ୟ ତାହାର ପୁନରୁଦ୍ଧାର କରାଯାଇ ନ ଥିଲା। ଅନ୍ୟପକ୍ଷରେ ପୋଖରୀ ଅଞ୍ଚଳର କେତେକ ସ୍ଥାନ ଜବରଦଖଲରେ ରହିଛି। ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବାକୁ ଦାବି ହେଉଛି।