ହାଟଡିହୀ, ୧୮।୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ୩ ଜଣ ମେଧାବୀ ଛାତ୍ର ଜାତୀୟ ସ୍ତରର ମେଡିକାଲ ପ୍ରବେଶିକା ପରୀକ୍ଷା ‘ନିଟ୍ (UG)’ରେ ଚମତ୍କାର ସଫଳତା ହାସଲ କରି ସମଗ୍ର ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। କୃତକାର୍ଯ୍ୟ ହୋଇଥିବା ଏହି ଛାତ୍ରମାନେ ହେଲେ କଳିଗାଁ ପଞ୍ଚାୟତ ମୁଦୁଲିପଦା ଗ୍ରାମର ଚନ୍ଦନ ସାହୁ, ବାଙ୍ଗୋର ଗ୍ରାମର ଅଭିଜିତ ପୃଷ୍ଟି ଏବଂ ଗୋପ ଡିଗିସାହିର ଆଶୁତୋଷ ସାହୁ। ସଫଳତା ପରେ ତିନି ମେଧାବୀ ଭବିଷ୍ୟତରେ ଜଣେ ଜଣେ ଭଲ ଡାକ୍ତର ହୋଇ ଲୋକଙ୍କ ସେବା କରିବାକୁ ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛନ୍ତି।
ମୁଦୁଲିପଦା ଗ୍ରାମର ଚାଷୀ ଭାବଗ୍ରାହୀ ସାହୁଙ୍କ ପୁଅ ଚନ୍ଦନ ସାହୁ ନିଟ୍ ପରୀକ୍ଷାରେ ୬୨୧ ମାର୍କ ରଖି ସର୍ବଭାରତୀୟ ସ୍ତରରେ ୪୮୨୮ ରାଙ୍କ ହାସଲ କରିଛନ୍ତି। ଚନ୍ଦନ ହଦଗଡ଼ ନବୋଦୟ ବିଦ୍ୟାଳୟରୁ ଦଶମ ଏବଂ ଶାଳପଡ଼ା ଓଡ଼ିଶା ଆଦର୍ଶ ବିଦ୍ୟାଳୟରୁ ଯୁକ୍ତ ଦୁଇ ଶିକ୍ଷା ଶେଷ କରିବା ପରେ ଯାଜପୁରର ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ପ୍ରଶିକ୍ଷଣ ନେଇଥିଲେ। ସେହିପରି ବାଙ୍ଗୋର ଗ୍ରାମର ନିରଞ୍ଜନ ପୃଷ୍ଟିଙ୍କ ପୁଅ ଅଭିଜିତ ପୃଷ୍ଟି ୬୩୯ ମାର୍କ ସହ ସର୍ବଭାରତୀୟ ସ୍ତରରେ ୨୩୫୬ ରାଙ୍କ ଅଧିକାର କରିଛନ୍ତି। ସେ ମଧ୍ୟ ଶାଳପଡ଼ା ଓଡ଼ିଶା ଆଦର୍ଶ ବିଦ୍ୟାଳୟରୁ ଯୁକ୍ତ ଦୁଇ ପାସ୍ କରିବା ପରେ ଯାଜପୁରର ସେହି ଘରୋଇ ଅନୁଷ୍ଠାନରୁ ନିଟ୍ ପାଇଁ ପ୍ରଶିକ୍ଷଣ ନେଇଥିଲେ। ଅନ୍ୟପଟେ ଗୋପ ଡିଗିସାହିର ପୀତୋବାସ ସାହୁଙ୍କ ପୁଅ ଆଶୁତୋଷ ୫୯୦ ନମ୍ବର ରଖି ୧୩୬୨୫ ରାଙ୍କ ହାସଲ କରିଛନ୍ତି। ପୂର୍ବରୁ ଜଣେ ମେଧାବୀ ଛାତ୍ର ଭାବେ ବିଭିନ୍ନ ଅନୁଷ୍ଠାନରୁ ସେ କୃତିତ୍ୱ ଅର୍ଜନ କରିଥିବା ବେଳେ ଘରୋଇ ଅନୁଷ୍ଠାନରୁ ପ୍ରଶିକ୍ଷଣ ନେଇ ନିଟ୍ରେ ସଫଳ ହୋଇଛନ୍ତି।
ଏହି ସଫଳତାର ଶ୍ରେୟ ଛାତ୍ରମାନେ ସେମାନଙ୍କର ମାତାପିତା ଓ ଗୁରୁଜନମାନଙ୍କୁ ଦେଇଛନ୍ତି। ଏହି କୃତିତ୍ୱ ପାଇଁ ହାଟଡିହୀ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ପୂର୍ବତନ ବ୍ଲକ ଅଧ୍ୟକ୍ଷ ପର୍ଶୁରାମ ପେଡା, ପୂର୍ବତନ ସରପଞ୍ଚ ବସନ୍ତ ପଢ଼ିଆରୀ, ବରିଷ୍ଠ ନାଗରିକ ରଘୁନାଥ ପରିଡା, ପବିତ୍ର ମୋହନ ପେଡା, ସୁନୀଲ ନାୟକଙ୍କ ସମେତ ବିଜେଡି, ବିଜେପି ଓ କଂଗ୍ରେସର ଅନେକ ନେତା ଓ କର୍ମୀ ଛାତ୍ରମାନଙ୍କ ବାସଭବନରେ ପହଞ୍ଚି ପଞ୍ଚାୟତବାସୀଙ୍କ ପକ୍ଷରୁ ସେମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି।