ଚାକିରି ଫେରି ପାଇବାକୁ ଅଧିଆ

ସୁନ୍ଦରଗଡ,୧୯ା୧୧(ଡି.ଏନ୍‌.ଏ.): ଚାକିରି ଫେରି ପାଇବା ପାଇଁ ଗୁରୁବାର ଜଣେ ଆଦିବାସୀ ମହିଳା ସୁନ୍ଦରଗଡ଼ ଜିଲାପାଳଙ୍କ ଅଫିସ ସମ୍ମୁଖ ବାରଣ୍ଡାରେ ମୁହଁମାଡି ଶୋଇ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ା ପରେ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ଆସି ତାଙ୍କୁ ତଳୁ ଉଠାଇ ଦାବିପତ୍ର ଗ୍ରହଣ କରିବା ସହ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ପ୍ରକାଶ ଯେ, ସୁନ୍ଦରଗଡ଼ ସଦର ବ୍ଲକ ଅନ୍ତର୍ଗତ ମଝାପଡାର ଅବିବାହିତା ପିରୋ କିଶାନ ୨୦୦୩ ମସିହାରୁ ଦୀର୍ଘ ୧୦ବର୍ଷ କାଳ ମଝାପଡା ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିନା ପାରିଶ୍ରମିକରେ ପିଅନ ଭାବେ କାର୍ଯ୍ୟ କରୁଥିଲେ। ଏହି ବିଦ୍ୟାଳୟ ଗତ ୨୦୧୨ମସିହା ପରେ ବ୍ଲକଗ୍ରାଣ୍ଟ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲା ା ସେତେବେଳେ ଏହି ସ୍କୁଲ କମିଟିର ଜଣେ ସଦସ୍ୟ ଚାକିରି ସ୍ଥାୟୀ ହେବ କହି ପିରୋଙ୍କୁ ୩୦ହଜାର ଟଙ୍କା ଦେବାକୁ କହିଥିଲେ। କିନ୍ତୁ ପିରୋ ପ୍ରଥମେ ୧୫ ହଜାର ଟଙ୍କା ଦେଇ ଦରମା ମିଳିବା ପରେ ଅବଶିଷ୍ଟ ଟଙ୍କା ଦେବି ବୋଲି କହିଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ସ୍ଥାନରେ ଆଉ ଜଣେ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯାଇଥିଲା। ୨୦୧୩ ମସିହାରୁ ମହିଳା ଜଣକ ଏ ନେଇ ଜିଲା ଶିକ୍ଷା ଅଧିକାରୀଙ୍କଠାରୁ ଆରମ୍ଭ କରି ଜିଲାପାଳଙ୍କ ପର୍ଯ୍ୟନ୍ତ ବାରମ୍ବାର ଗୁହାରି କରି ଆସୁଥିଲେ ହେଁ ଅଦ୍ୟାବଧି ତାଙ୍କୁ ନ୍ୟାୟ ମିଳିନାହିଁ। ଚଳିତ ମାସ ୧ ତାରିଖରେ ସ୍ଥାନୀୟ ଯୁବନେତା ଡା. ହିମାଂଶୁ ଶେଖର ଷଡଙ୍ଗୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ପିରୋ ତାଙ୍କ ସହିତ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇ ଜିଲାପାଳ ଓ ଅତିରିକ୍ତ ଜିଲାପାଳଙ୍କ ନିକଟରେ ଅଭିଯୋଗ କରି ଧାରଣାରେ ବସିଥିଲେ। ଏହାପରେ ଜିଲାପାଳ ଅଭିଯୋଗ ଉପରେ ଏକ ଇନକ୍ୱାରି ରିପୋର୍ଟ ଜିଲା ଶିକ୍ଷା ଅଧିକାରୀଙ୍କୁ ମାଗିଥିଲେ। ମାତ୍ର ତଦନ୍ତକାରୀ ଅଧିକାରୀ ସଂପୃକ୍ତ ମହିଳା ଜଣକ ସ୍ବଇଚ୍ଛାରେ ଇସ୍ତଫା ଦେଇଥିବା ରିପୋର୍ଟରେ ଜଣାଇଥିଲେ। ଏହା ଜଣାପଡିବା ପରେ ପିରୋ ଜିଲାପାଳଙ୍କ ଅଫିସ ବାରଣ୍ଡାରେ ମୁହଁମାଡି ଶୋଇ ପଡି ତାଙ୍କ ଚାକିରି ଫେରାଇବାକୁ ଦାବି କରିଥିଲେ। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏଭଳି ଅଭାବନୀୟ ଦୃଶ୍ୟ ଘଟିବା ପରେ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ, ଅତିରିକ୍ତ ଜିଲାପାଳ ବିଶ୍ୱଜିତ୍‌ ମହାପାତ୍ର ଓ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ ପ୍ରମୁଖ ପ୍ରଶାସନିକ ଅଧିକାରୀ ପହଞ୍ଚତ୍ ତାଙ୍କୁ ବୁଝାଶୁଝା କରି ଏ ଦିଗରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେବା ପରେ ସେ ଉଠିଥିଲେ।