Categories: ଖେଳ

ହରମନପ୍ରୀତଙ୍କୁ ମିଳିଲା ବଡ଼ ଉପଲବ୍ଧି

ମେଲବୋର୍ନ,୨୪।୧୧: ମେଲବୋର୍ନ ରେନେଗାଡେସ ଷ୍ଟାର ହରମନପ୍ରୀତ କୌର ପ୍ରଥମ ଭାରତୀୟ ଖେଳାଳି ଭାବେ ମହିଳା ବିଗ୍‌ ବାଶ ଲିଗ୍‌ (ଡବ୍ଲ୍ୟୁବିବିଏଲ)ରେ ପ୍ଲେୟାର ଅଫ୍‌ ଦି ଟୁର୍ନାମେଣ୍ଟ ପୁରସ୍କାର ପାଇଛନ୍ତି। ପୂରା ସିଜନରେ ଉଭୟ ବ୍ୟାଟ ଓ ବଲରେ ଭଲ ପ୍ରଦର୍ଶନ କରିଥିଲେ ଭାରତୀୟ ଟି୨୦ ଦଳର ଅଧିନାୟିକା। ମେଲବୋର୍ନ ପାଇଁ ଚଳିତ ସିଜନରେ ସମସ୍ତ ମ୍ୟାଚ୍‌ ଖେଳିଥିବା ହରମନପ୍ରୀତ ୩୯୯ ରନ୍‌ କରିବା ସହ ୧୫ ଉଇକେଟ ମଧ୍ୟ ନେଇଥିଲେ।

ପ୍ରତ୍ୟେକ ମ୍ୟାଚ୍‌ର ପରିଚାଳନା ଦାୟିତ୍ୱରେ ଥିବା ଅମ୍ପାୟରମାନେ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଭାବେ ହରମନପ୍ରୀତଙ୍କୁ ଭୋଟ ଦେଇଥିଲେ। ଏହି ଅଲରାଉଣ୍ଡରଙ୍କୁ ସର୍ବାଧିକ ୩୧ ଖଣ୍ଡ ଭୋଟ ମିଳିଥିଲା। ସେ ନିକଟସ୍ଥ ପ୍ରତିଦ୍ୱନ୍ଦ୍ୱୀ ପର୍ଥ ସ୍କର୍ଚର୍ସର ଖେଳାଳି ବେଥ ମୁନିସ ଓ ସୋଫିଆ ଡିଭାଇନ (୨୮ ଖଣ୍ଡ ଭୋଟ) ୩ ଭୋଟ ବ୍ୟବଧାନରେ ପଛରେ ପକାଇ ଦେଇଛନ୍ତି। ବ୍ରିସବେନ ହିଟ୍‌ର ଗ୍ରେସ ହାରିସଙ୍କୁ ୨୫ ଭୋଟ ମିଳିଥିଲା।

“ମୁଁ ଅତ୍ୟନ୍ତ ଆନନ୍ଦିତ। ଏହା ମୋ ପାଇଁ ଖୁବ୍‌ ବଡ଼ ଉପଲବ୍ଧି। ମୋତେ ମିଳିଥିବା ସମର୍ଥନ ଲାଗି ମୁଁ ଦଳ ଓ ସପୋର୍ଟ ଷ୍ଟାଫଙ୍କୁ ଧନ୍ୟବାଦ ଜଣାଉଛି। ଏହା ସମ୍ପୂର୍ଣ୍ଣ ରୂପେ ଦଳୀୟ ଉଦ୍ୟମ ଯୋଗୁ ସମ୍ଭବ ହୋଇପାରିଛି। ଦଳର ଆବଶ୍ୟକତା ଅନୁଯାୟୀ, ମୁଁ ମୋ କାମ କରିଛି” ବୋଲି ହରମନପ୍ରୀତ କୌର କହିଛନ୍ତି।

Share