ହରିରାଜପୁର ଦୋଳ ମେଳଣ

ଓଡ଼ିଶା ଦୋଳମେଳଣ ଇତିହାସରେ ପୁରୀ ଜିଲା ଡେଲାଙ୍ଗ ବ୍ଲକ ଅଧୀନ ହରିରାଜପୁର ପଞ୍ଚଦୋଳ ମେଳଣର ଆକର୍ଷଣୀୟ ଆତସବାଜି ପାଇଁ ସ୍ବତନ୍ତ୍ର ପରିଚୟ ରହିଛି। ମେଳଣର ସ୍ଥାନାଧିପତି ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ନିକଟରେ ଶ୍ରଦ୍ଧାଳୁମାନେ ମାନସିକ ପୂରଣ ନିମନ୍ତେ ବାଣ ଫୁଟାଇବା ପାଇଁ ଏଠାକୁ ଆସିଥାନ୍ତି। ଜନସୃତିରୁ ଜଣାପଡ଼େ ଗଜପତି ମହାରାଜ ପ୍ରତାପରୁଦ୍ର ଦେବଙ୍କ ସମୟରୁ ବାବା ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ମନ୍ଦିର ନିର୍ମାଣ ହୋଇଥିବା ବେଳେ ସେବେଠାରୁ ହରିରାଜପୁର ମେଳଣ ଆରମ୍ଭ ହୋଇଥିଲା।

ମେଳଣ ଆରମ୍ଭର ଇତିହାସ- ଜନସୃତି ଅନୁଯାୟୀ ଗଜପତି ମହାରାଜା ନରସିଂହ ଦେବଙ୍କ ରାଜତ୍ୱ ସମୟରେ ୧୬୩୬ ମସିହା ଚୈତ୍ର ମାସ ଶୁକ୍ଲପକ୍ଷରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବସନ୍ତରାସ(ନୂତନ ରଥଯାତ୍ରା) ଅନୁଷ୍ଠିତ ହୋଇଥିଲା। ସେତେବେଳେ ହରିରାଜପୁର ଗ୍ରାମର ବାବାଜି ଗୋବର୍ଦ୍ଧନ ଦାଶ ଓ ନିତେଇ ସାହୁ(ଖରୁଡ଼ା) ପୁରୀରୁ ବସନ୍ତରାସ, ରଥଯାତ୍ରା ଦେଖି ଫେରିବା ବାଟରେ ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ପୁରୀ ରଥଯାତ୍ରା ପରି ପଞ୍ଚଦୋଳ ମେଳଣ କରିବା ପାଇଁ ମନସ୍ଥ କରିଥିଲେ। ଗ୍ରାମର ମୁଖିଆମାନଙ୍କୁ ଡାକି ଏବଂ ଗୋବର୍ଦ୍ଧନ ଓ ନିତେଇ ତାଙ୍କ ପାଖରେ ଥିବା ଏକ ଟଙ୍କା ଚାରିଅଣା ପଇସାରେ ଛୋଟ ଛୋଟ ଆଟିକା କିଣି ଗ୍ରାମକୁ ଫେରିଥିଲେ। ଆଟିକାଗୁଡିକୁ ହରିରାଜପୁର ଗ୍ରାମର ସମସ୍ତଙ୍କ ଘରେ ଦେଇଥିଲେ ଓ ପ୍ରତିଦିନ ଗ୍ରାମବାସୀ ରୋଷେଇ କରିବା ପୂର୍ବରୁ ଉକ୍ତ ଆଟିକାରେ ମୁଠାଏ ଲେଖାଏ ଚାଉଳ ପକାଇବାକୁ ଅନୁରୋଧ କରିଥିଲେ। ଗ୍ରାମବାସୀଙ୍କଠାରୁ ସଂଗୃହୀତ ଏହି ମୁଠିଚାଉଳକୁ ବିକି ଯେଉଁ ଅର୍ଥ ବା ଟଙ୍କା ସଂଗ୍ରହ ହୋଇଥିଲା ସେହି ଟଙ୍କାରେ ୧୬୩୭ ଚୈତ୍ର କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ପଞ୍ଚଦୋଳ ମେଳଣ ଆରମ୍ଭ ହୋଇଥିବା ଜଣାଯାଏ। ଏହି ପଞ୍ଚଦୋଳ ମେଳଣରେ ହରିରାଜପୁରର ଚାରି ପାଖେ ରହିଥିବା ରାଜ ପ୍ରତିଷ୍ଠିତ ଠାକୁର ଯଥା ହରିରାଜପୁରର ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବ, ବୁଢ଼ାପଡାର ଶ୍ରୀ ଶ୍ରୀ ସୋମନାଥ ଦେବ, ଭସରର ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ଦେବ, କନ୍ତିଆର ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ଦେବ ଏବଂ ଛଣଘରର ଶ୍ରୀ ଶ୍ରୀ ଗତିଶ୍ୱର ଦେବଙ୍କୁ ନେଇ ପ୍ରଥମେ ଏଠାରେ ପଞ୍ଚଦୋଳ ମେଳଣ ଆରମ୍ଭ ହୋଇଥିଲା। କାଳକ୍ରମେ ଏହି ମେଳଣରେ ହରିରାଜପୁର ନିକଟବର୍ତ୍ତୀ ଅଞ୍ଚଳର ୭୭ ଗ୍ରାମର ଠାକୁର ପଞ୍ଚଦୋଳ ମେଳଣରେ ସାମିଲ ହେଲେ। ଏହି ମେଳଣର ଠାକୁର ଜମିଲା ରାତିରେ ମେଳଣର ସ୍ଥାନାଧିପତି ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ବିଜେ ପ୍ରତିମା ମଧ୍ୟରାତ୍ରିରେ ମନ୍ଦିରରୁ ବାହାରି ଏକ ସୁସଜ୍ଜିତ ବିମାନରେ ବିରାଜିତ ହୋଇ ପଶ୍ଚିମଦ୍ୱାର ଦେଇ ମେଳଣ ପଡିଆ ଅଭିମୁଖେ ବାହାରନ୍ତି। ଠାକୁର ଜମାଣ ରାତିରେ ମାନସିକଧାରୀ ଭକ୍ତମାନଙ୍କ ପକ୍ଷରୁ ରାତି ତମାମ ଆତସବାଜି ପ୍ରଦର୍ଶନ କରାଯାଇଥାଏ। ଆତସବାଜି ଦେଖିବା ପାଇଁ ମେଳଣ ପଡିଆରେ ଲକ୍ଷଧିକ ଲୋକଙ୍କ ସମାଗମ ହୋଇଥାଏ। ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ବିଜେ ପ୍ରତିମା ବିରାଟ ପଟୁଆରରେ ବିମାନରେ ଯାଇ ଜମିଲା ରାତିର ଭୋରୁ ଭୋରୁ ମେଳଣ ପଡିଆରେ ପହଞ୍ଚତ୍ଥାନ୍ତି। ଠାକୁରଙ୍କ ଜମିଲା ରାତିରେ ସୋମନାଥ ଦେବଙ୍କ ନିକଟରେ ପାଚିଲା ପଣସ ଭୋଗ ଲାଗି ହେବାର ଏକ ଅନନ୍ୟ ପରମ୍ପରା ରହିଛି । ଠାକୁରଙ୍କର ସ୍ବତନ୍ତ୍ର ପୂଜା ନୀତି ସହ ହୋମ ଅନୁଷ୍ଠିତ ହୋଇଥାଏ। ପରେ ଅଧରପଣା ଭୋଗ ଲାଗି ହେବା ଏବଂ ଅଧରପଣାକୁ ମେଳଣ ପଡିଆ ବାହାରେ ଅଭ୍ୟାଗତ ଦିଆଯାଇଥାଏ। ପ୍ରତି ବର୍ଷ ମେଳଣ ପରିଚାଳନା ପରିଷଦ ଏବଂ ହରିରାଜପୁର ଗ୍ରାମବାସୀଙ୍କ ପକ୍ଷରୁ ଏହି ମେଳଣ କାର୍ଯ୍ୟ ହୋଇଆସୁଛି।

-ରବୀନ୍ଦ୍ରନାଥ ମହାକୁଡ଼


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକମାତ୍ର ନଦୀ, ଯାହାର ବାଲିରୁ ମିଳେ ସୁନା! ଓଡ଼ିଶାରେ ବି ବୋହୁଛି…

ନୂଆଦିଲ୍‌ଲୀ,୨୬।୯: ଭାରତରେ ନଦୀଗୁଡ଼ିକୁ କେବଳ ଜଳର ଉତ୍ସ ଭାବେ ଗ୍ରହଣ କରାଯାଏ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏଗୁଡ଼ିକର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?