ଚାଲିଗଲେ ହରି ନନା, ହାଣ୍ଡିରେ ରହିଗଲା ସ୍ୱାଦ: ଆଉ ମିଳିବନି…

ବଡ଼ଗାଁ, ୧୩।୯ (ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଓ ଆଖପାଖ ଅଞ୍ଚଳରେ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତି ପାଇଁ ବେଶ୍‌ ପରିଚିତ ରୋଷେୟା ହରିହର ବିଶି (୬୨)ଙ୍କ ଶନିବାର ସକାଳେ ପରଲୋକ ଘଟିଛି। ସେ ବଡ଼ଗାଁ ବ୍ଲକ ଅନ୍ତର୍ଗତ କିଞ୍ଚିରକେଲା ଗ୍ରାମର ବାସିନ୍ଦା ଥିଲେ। ଅଞ୍ଚଳରେ ସେ ‘ହରି ନନା’ ନାମରେ ପରିଚିତ ଥିଲେ।

ଗତ କିଛି ବର୍ଷ ଧରି ସେ ମୁଖ କର୍କଟ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ କିଞ୍ଚିରକେଲା ସମେତ ବଡ଼ଗାଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ଗ୍ରାମ ଶ୍ମଶାନରେ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।

ହରି ନନା ବଡ଼ଗାଁ ଅଞ୍ଚଳର ବିଭିନ୍ନ ବିବାହ ଓ ଭୋଜିରେ ରୋଷେଇ କରି ସ୍ୱତନ୍ତ୍ର ପରିଚୟ ହାସଲ କରିଥିଲେ। ବିଶେଷକରି ତାଙ୍କ ହାତରନ୍ଧା ମାଂସ, ମିକ୍ସ ଭେଜ୍‌ ଓ ବିଲାତି ଖଟାର ସ୍ୱାଦ ଅଞ୍ଚଳରେ ବେଶ୍‌ ପ୍ରସିଦ୍ଧ ଥିଲା। ତାଙ୍କ ହାତରନ୍ଧା ଖାଇଥିବା ଲୋକଙ୍କ ମନରେ ସେହି ସ୍ୱାଦ ସବୁଦିନ ପାଇଁ ସ୍ମୃତି ହୋଇ ରହିବ। ତାଙ୍କ ଶାନ୍ତ ଓ ମେଳାପୀ ସ୍ୱଭାବକୁ ମଧ୍ୟ ଅଞ୍ଚଳବାସୀ ମନେ ପକାଉଛନ୍ତି।

ତାଙ୍କ ବିୟୋଗ ପରେ ବଡ଼ଗାଁ ଅଞ୍ଚଳର ବିଭିନ୍ନ ଭୋଜିରେ ଆଉ ହରି ନନାଙ୍କ ହାତରନ୍ଧା ଖାଇବାକୁ ମିଳିବ ନାହିଁ ବୋଲି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭାବବିହ୍ୱଳ ଆଲୋଚନା ହେଉଛି। ତାଙ୍କ ବିୟୋଗରେ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି

Dharitri – Odisha’s No.1 Odia Daily

Share