ଭଞ୍ଜନଗର,୧୨ା୮(ବାବୁଲା ପ୍ରଧାନ): ସ୍ବାଧୀନତା ଦିବସ ପାଳନ ଅବସରରେ ଭଞ୍ଜନଗର ବ୍ଲକ ଓ ମ୍ୟୁନିସିପାଲିଟି ପକ୍ଷରୁ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଉତ୍ସାହ ଓ ଦେଶପ୍ରେମର ପରିବେଶ ମଧ୍ୟରେ ବୁଧବାର ଅନୁଷ୍ଠିତ ହୋଇଛି। ଏନେଇ ବାଉଁଶଲୁଣ୍ଡି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ସଭାରେ ଭଞ୍ଜନଗର ମ୍ୟୁନିସିପାଲିଟି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ବିଡିଓ ଭାରତୀ ଦେବୀ, ତହସିଲଦାର ଅଭିପ୍ସା ପଟ୍ଟନାୟକ ଓ ନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଣ ପଣ୍ଡା ପ୍ରମୁଖ ଅତିଥି ଯୋଗଦେଇଥିଲେ। ଉଦ୍ଘାଟନୀ ସଭାକୁ ଶୁଳପାଣି ଶତପଥୀ ସଂଯୋଜନା କରିଥିବା ବେଳେ ଉଦ୍ଯାପନୀ ସଭାକୁ ସାମାଜିକ କର୍ମୀ ମୁରଲୀଧର ପଣ୍ଡା ସଂଯୋଜନା କରିଥିଲେ। ଶୋଭାଯାତ୍ରା ବାଉଁଶଲୁଣ୍ଡିରୁ ବାହାରି ମୁଖ୍ୟ ସଡ଼କ ହୋଇ ଉପଜିଲାପାଳ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା। ସେଠାରୁ ପୁଣି ଶୋଭାଯାତ୍ରା ବାହାରି ଭେଜିପୁଟ ହୋଇ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଠାରେ ପହଞ୍ଚିଥିଲା।
ସେହିଭଳି ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଧ୍ୟ ଆଜି ‘ହର ଘର ତ୍ରିରଙ୍ଗା’ ସହ ଜାତୀୟ ଯୁବ ଦିବସ ପାଳିତ ହୋଇଥିଲା। କଲେଜ ଅଧ୍ୟକ୍ଷ ଡ. ଗଗନ ବିହାରୀ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତ୍ରିରଙ୍ଗାର ମହତ୍ତ୍ୱ ଓ ଜାତୀୟ ଯୁବ ଦିବସର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।
କଲେଜର ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍) କୋ-ୟୁନିଟ-୧, ମହିଳା ଶାଖା, ଯୁବ ରେଡକ୍ରସ ଏବଂ ଏନ୍ସିସି ନାଭାଲ ଓ ଆର୍ମି ଓ୍ବିଙ୍ଗ୍ର ମିଳିତ ସହଯୋଗରେ କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା। ଏଥିରେ ପ୍ରଶାସନିକ ଅଧିକାରୀ କୁମୁଦ ଚନ୍ଦ୍ର ମହାପାତ୍ର, ବଟନି ବିଭାଗ ମୁଖ୍ୟ ଅଧ୍ୟାପିକା ସୁନିତାରାଣୀ ଖଣ୍ଡୁଆଳ, ଏନ୍ଏସ୍ଏସ୍ କୋ-ୟୁନିଟ ଅଧିକାରୀ, ମହିଳା ଶାଖା ଅଧିକାରିଣୀ ସସ୍ମିତା କୁମାରୀ ଦାସ, ଏନ୍ସିସି ନାଭାଲ ସିଟିଓ ବିଦେଶୀ ରାଉତ, ଆର୍ମି ଓ୍ବିଙ୍ଗ୍ ସିଟିଓ ଅର୍ପଣ ପ୍ରଧାନ, ବରିଷ୍ଠ ଅଧ୍ୟାପକ ଆର୍ ହରିଶ, ଇତିହାସ ବିଭାଗର ଅଧ୍ୟାପିକା ସୁନିଆ ବିଷୋୟୀ, ଦର୍ଶନଶାସ୍ତ୍ର ବିଭାଗର ଅଧ୍ୟାପକ ଅଚ୍ୟୁତ ଭୂୟାଁ
ଓ ଯୁବ ରେଡକ୍ରସ ଅଧିକାରୀ ଡ. ସୀମାଞ୍ଚଳ ବେହେରା, କର୍ମଚାରୀ ବିନାୟକ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ। ଏହି ଅବସରରେ ଅନେକ ଅଧ୍ୟାପିକା-ଅଧ୍ୟାପକ- ଓ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ।
‘ହର ଘର ତ୍ରିରଙ୍ଗା’ ମାଧ୍ୟମରେ ପ୍ରତ୍ୟେକ ଘରେ ଜାତୀୟ ପତାକା ଉତ୍ତୋଳନ ସହ ଦେଶର ଏକତା, ଅଖଣ୍ଡତା ଓ ଦେଶପ୍ରେମର ବାର୍ତ୍ତା ପହଞ୍ଚାଇବାକୁ ଆହ୍ବାନ ଦିଆଯାଇଥିଲା।