Categories: Home Leftଖେଳ

ପଞ୍ଜାବ କିଙ୍ଗ୍ସକୁ ଯିବା ପରେ ମୁହଁ ଖୋଲିଲେ ହାର୍ଦ୍ଦିକ, ଅଧିନାୟକତ୍ୱକୁ ନେଇ କଲେ ବଡ଼ ଖୁଲାସା: ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ, ୧୨।୧୧: ଆଇପିଏଲ ୨୦୨୭ ନିଲାମ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଏକ ବଡ଼ ଟ୍ରେଡ ଡିଲ ହୋଇଛି। ପଞ୍ଜାବ କିଙ୍ଗ୍ସର ଦ୍ରୁତ ବୋଲର ଅର୍ଶଦୀପ ସିଂହ ଏବେ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ସାମିଲ ହୋଇଛନ୍ତି। ଅନ୍ୟପଟେ ମୁମ୍ବାଇରୁ ହାର୍ଦ୍ଦିକ ପାଣ୍ଡ୍ୟା ପଞ୍ଜାବ ଦଳକୁ ଯାଇଛନ୍ତି। ଗତ କିଛି ଦିନ ଧରି ଏହି ଟ୍ରେଡ ଡିଲ୍‌କୁ ନେଇ ଚର୍ଚ୍ଚା ଚାଲିଥିଲା। ପ୍ରାୟ ଏକ ସପ୍ତାହ ପୂର୍ବରୁ ଗଣମାଧ୍ୟମ ରିପୋର୍ଟରେ ଏହି ଡିଲ ସମ୍ପର୍କରେ ଖୁଲାସା ହୋଇଥିଲା। ଏବେ ବୁଧବାର ହାର୍ଦ୍ଦିକ ପାଣ୍ଡ୍ୟା ପଞ୍ଜାବ କିଙ୍ଗ୍ସରେ ସାମିଲ ହେବା ପରେ ପ୍ରଥମ ଥର ପାଇଁ ନିଜ ପ୍ରତିକ୍ରିୟା ରଖିଛନ୍ତି।

ହାର୍ଦ୍ଦିକ ପାଣ୍ଡ୍ୟା ପଞ୍ଜାବ କିଙ୍ଗ୍ସରେ ସାମିଲ ହେବା ପରେ ଏକ ବଡ଼ ପ୍ରଶ୍ନ ଉଠିଥିଲା। ପ୍ରକୃତରେ ଶ୍ରେୟସ ଆୟର ପଞ୍ଜାବ କିଙ୍ଗ୍ସର ଅଧିନାୟକ ଅଛନ୍ତି। ଗତ ଦୁଇଟି ସିଜିନ ଧରି ସେ ଦଳର ନେତୃତ୍ୱ ନେଉଛନ୍ତି। ଏବେ ହାର୍ଦ୍ଦିକ ପାଣ୍ଡ୍ୟା ପଞ୍ଜାବ ଦଳକୁ ଯିବା ପରେ ତାଙ୍କୁ ଫ୍ରାଞ୍ଚାଇଜି ଅଧିନାୟକ କରିବ କି ନାହିଁ, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। କାରଣ ହାର୍ଦ୍ଦିକ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଥିଲେ। ଏଭଳି ସ୍ଥିତିରେ ତାଙ୍କର ଅନ୍ୟ ଏକ ଦଳରେ କେବଳ ଜଣେ ଖେଳାଳି ଭାବେ ଖେଳିବା ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା।

ହାର୍ଦ୍ଦିକ ପାଣ୍ଡ୍ୟା ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଶ୍ରେୟସ ଆୟରଙ୍କୁ ନିଜର ଅଧିନାୟକ ବୋଲି କହିଛନ୍ତି। ହାର୍ଦ୍ଦିକ କହିଛନ୍ତି ଯେ ଶ୍ରେୟସ ଆୟର ହେଉଛନ୍ତି ତାଙ୍କ ଅଧିନାୟକ ଏବଂ ରିକି ପଣ୍ଟିଂ ତାଙ୍କ କୋଚ। ପଞ୍ଜାବ ହେଉଛି ତାଙ୍କ ଟିମ। ଏହା ସହିତ ସେ ନିଜ କୋଚ ଓ ଅଧିନାୟକଙ୍କ ସହ ଦୃଢ଼ ଭାବେ ରହିଥିବା ମଧ୍ୟ ଉଲ୍ଲେଖ କରିଛନ୍ତି।

ହାର୍ଦ୍ଦିକଙ୍କ ଏହି ପୋଷ୍ଟ ପରେ ଏବେ ସବୁ କିଛି ସ୍ପଷ୍ଟ ହୋଇଯାଇଛି। ଶ୍ରେୟସ ଆୟର ହିଁ ପଞ୍ଜାବ କିଙ୍ଗ୍ସର ଅଧିନାୟକ ରହିବେ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଜଣେ ଖେଳାଳି ଭାବେ ଦଳ ପାଇଁ ଖେଳିବେ।

ତେବେ ଆୟରଙ୍କ ଅଧିନାୟକତ୍ୱରେ ଖେଳିବାକୁ ହାର୍ଦ୍ଦିକଙ୍କର କୌଣସି ଅସୁବିଧା ହେବ ନାହିଁ। କ୍ରିକେଟ ବିଶେଷଜ୍ଞମାନେ ପୂର୍ବରୁ ମଧ୍ୟ ଏହା ସ୍ପଷ୍ଟ କରିସାରିଛନ୍ତି। ଏହାର କାରଣ ହେଉଛି ଶ୍ରେୟସ ଆୟର ଏବେ ଭାରତୀୟ ଟି-୨୦ ଦଳର ଅଧିନାୟକ ଅଛନ୍ତି। ଟିମ ଇଣ୍ଡିଆରେ ମଧ୍ୟ ହାର୍ଦ୍ଦିକଙ୍କୁ ଆୟରଙ୍କ ନେତୃତ୍ୱରେ ଖେଳିବାକୁ ପଡ଼ିବ। ତେଣୁ ଆଇପିଏଲରେ ତାଙ୍କ ଅଧିନାୟକତ୍ୱରେ ଖେଳିବାକୁ ହାର୍ଦ୍ଦିକଙ୍କର କୌଣସି ଆପତ୍ତି ରହିବା କଥା ନୁହେଁ।

Dharitri – Odisha’s No.1 Odia Daily

Share