କଠିନ ପରିଶ୍ରମ କେବେ ବୃଥା ଯାଏ ନାହିଁ

ଅନୁଗୋଳ ଅଫିସ,୧୩।୭ – ଅନୁଗୋଳ ଜିଲାର ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟରୁ ଚଳିତ ମାଟ୍ରିକ୍‌ ପରୀକ୍ଷାରେ ଏ-୧ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଥିବା ଅନୁଗୋଳ ଜିଲାର ୮୬ ଜଣ ମେଧାବୀ ଛାତ୍ରୀଛାତ୍ରଙ୍କୁ ମଙ୍ଗଳବାର ଢେଙ୍କାନାଳ ଏମ୍‌ପି ମହେଶ ସାହୁ ସମ୍ବର୍ଦ୍ଧିତ କରିଛନ୍ତି। ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏମ୍‌ପି ସାହୁ କଠିନ ପରିଶ୍ରମ କେବେ ବୃଥା ଯାଏ ନାହିଁ ବୋଲି ପ୍ରକାଶ କରିଥିଲେ। ଏହି ପରିଶ୍ରମ ବଳରେ ନିଜର ପ୍ରତିଭା ପ୍ରଦର୍ଶନ କରି ଜିଲା ପାଇଁ ଗୌରବ ଆଣିଥିବା ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ ଅଭିଭାବକଙ୍କୁ ସାଧୁବାଦ ଜଣାଇଥିଲେ। ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କ ପ୍ରଗାଢ଼ ଉଦ୍ୟମ ଓ ଛାତ୍ରୀଛାତ୍ରମାନଙ୍କ ନିଷ୍ଠାପର କାର୍ଯ୍ୟ ସେମାନଙ୍କୁ ଏହି ସଫଳତା ଆଣି ଦେଇଛି। ତେଣୁ ପ୍ରତିଭାକୁ ଠିକ୍‌ ଭାବେ ଚିହ୍ନଟ କରିବା ସହ ସେମାନଙ୍କୁ ଉତ୍ସାହିତ କରିବା ଉପରେ ଏମ୍‌ପି ଗୁରୁତ୍ୱାରୋପ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲା ପରିଷଦ ସଭାପତି ବବିତା ପ୍ରଧାନ, ଅନୁଗୋଳ ପୌରପାଳିକା ଅଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ, ଜିଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଶୈଳେଶ ନାଥ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତୀ ଛାତ୍ରୀଛାତ୍ରମାନଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ନଗରପାଳ ପୂର୍ଣ୍ଣଚନ୍ଦ୍ର ରାଉତ, ଛାତ୍ର ବିଜେଡି ସଭାପତି ରାଜୀବ ଲୋଚନ ଦାସ, ଜିଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଲକ୍ଷ୍ମଣ ବେହେରା, ଏମ୍‌ପିଙ୍କ ପ୍ରତିନିଧି ସୁନୀଲ କୁମାର ପ୍ରଧାନଙ୍କ ସମେତ କୃତୀ ଛାତ୍ରୀଛାତ୍ର ଓ ସେମାନଙ୍କ ଅଭିଭାବକ, ଶିକ୍ଷୟିତ୍ରୀ ଶିକ୍ଷକ ପ୍ରମୁଖ ଯୋଗ ଦେଇଥିଲେ। ବିଜୁ ଯୁବ ଜନତା ଦଳ ସଭାପତି ଦିନେଶ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।