ଥୁଆମୂଳ ରାମପୁର ବ୍ଲକ୍‌ରେ ଘରେ ଘରେ ତ୍ରିରଙ୍ଗା ପଦଯାତ୍ରା; ୧୦୦ ଫୁଟ୍‌ର ତ୍ରିରଙ୍ଗା ପାଲଟିଲା ମୁଖ୍ୟ ଆକର୍ଷଣ

ଥୁଆମୂଳ ରାମପୁର,୧୩।୮(ଦୁର୍ଗା କୀର୍ତ୍ତି): ୮୦ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ପକ୍ଷରୁ ଗୁରୁବାର ‘ଘରେ ଘରେ ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଅଧୀନରେ ଏକ ବିଶାଳ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ କାର୍ଯ୍ୟାଳୟରୁ ବାହାରି ଏହି ପଦଯାତ୍ରା ପଞ୍ଚାୟତ ଛକ, ତାଲବନ୍ଦ ପଡ଼ା, କାଳୀ ମନ୍ଦିର ପଡ଼ା, ଦୈନିକ ମାର୍କେଟ, ଶିବମନ୍ଦିର ପଡ଼ା, ଜାଗେସ ପଦର ଛକ ଓ ମା’ ମାଣିକେଶ୍ଵରୀ ମନ୍ଦିର ଦେଇ ପୁନର୍ବାର ବ୍ଲକ୍ କାର୍ଯ୍ୟାଳୟକୁ ଫେରିଥିଲା।

ଏହି ଶୋଭାଯାତ୍ରାରେ ୧୦୦ ଫୁଟ୍‌ର ବିଶାଳ ତ୍ରିରଙ୍ଗା ପତାକା ଧରି ଛାତ୍ରୀଛାତ୍ର, ଆଶା ଓ ଅଙ୍ଗନୱାଡ଼ି କର୍ମୀ, ମିଶନ ଶକ୍ତି-ସୁଭଦ୍ରା ଶକ୍ତିର ସିଆରପି, ଏମ୍ବିକେ, କୃଷି ମିତ୍ର, ପ୍ରାଣୀ ମିତ୍ର ଓ ଏସଏଚଜି ମହିଳାମାନେ ସହର ପରିକ୍ରମା କରିଥିଲେ । ପଦଯାତ୍ରାରେ ବିଡିଓ ଧ୍ରୁବ ଚରଣ ମୁଦୁଲି, ତହସିଲଦାର ସତ୍ୟ ସନାତନ ପାଣିଗ୍ରାହୀ, ବ୍ଲକ୍ ଅଧ୍ୟକ୍ଷ ଦୟାନିଧି ମାଝୀ, ଏମପିଙ୍କ ବ୍ଲକ୍ ପ୍ରତିନିଧି ପବିତ୍ର ନାଏକ, ସିଡ଼ିପିଓ ମଧୁମାଳ ବାଗ ଏବଂ ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛିନା ପ୍ରମୁଖ ଉପସ୍ଥିତ ଥିଲେ । ସ୍ଥାନୀୟ ସରକାରୀ ଡିଗ୍ରୀ କଲେଜ, ମା’ ମାଣିକେଶ୍ଵରୀ ପିଏସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଯୁକ୍ତ ୩ କଲେଜ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଗ୍ରାମବିକାଶ ଶିକ୍ଷାନୁକେତନ, ଏବଂ ବିଭିନ୍ନ ହାଇସ୍କୁଲ ଓ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକବୃନ୍ଦ ଏଥିରେ ସାମିଲ ହୋଇଥିଲେ।

ପଦଯାତ୍ରା ପରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ରଚନା, ତର୍କ, ଚିତ୍ରାଙ୍କନ, କୁଇଜ୍ ଓ ରଙ୍ଗୋଲି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। କୃତୀ ପ୍ରତିଯୋଗୀଙ୍କୁ ଅଗଷ୍ଟ ୧୫ରେ ପୁରସ୍କୃତ କରାଯିବ। କାର୍ଯ୍ୟକ୍ରମ ପରିଚାଳନାରେ ଏମ୍ଆଇ ବିଭୁ ରଞ୍ଜନ ସାହୁ, ଆର ଏଚ୍ ବିପିସି ରାଜେନ୍ଦ୍ର ନାରାୟଣ ଦେବ, ବିଏସଏସଓ ସୋନାରାମ ସୋରେନ୍, ଡ଼ବ୍ଲୁଇଓ ଶୁଭଜିତ୍ ରଞ୍ଜନ ସ୍ୱାଇଁ, ବିପିସି ପ୍ରତାପ କୁମାର ନାଏକ, ଜିପିଡିଓ ବାଲେଶ୍ୱର ନାୟକ, ଶିକ୍ଷକ ଅଜିତ୍ କୁମାର ଦୁର୍ଗା, ଅଧ୍ୟାପକ ବଳଭଦ୍ର ହରିଜନ ଓ ପ୍ରତ୍ୟୟ କୁମାର ଶାହା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

 

Dharitri – Odisha’s No.1 Odia Daily

Share