ପିଲାଙ୍କ ଖୁସିରେ ଖୁସି

ଗତ ରଜରେ ବହୁଦିନ ଧରି ଦେଖାହୋଇ ନ ଥିବା ଜଣେ ବନ୍ଧୁଙ୍କ ଘରକୁ ଯିବାକୁ ମନ ହେଲା। ତାଙ୍କ ଘରକୁ ଗଲା ବେଳକୁ କିଛି ଫଳ ଓ ମିଠା ସହ ଘରେ ତିଆରି ହୋଇଥିବା ପୋଡ଼ପିଠା ଓ କାକରା କିଛି ନେଇ ଯାଇଥିଲୁ। ବହୁଦିନ ପରେ ବନ୍ଧୁ ଆମକୁ ଦେଖି ଭାରି ଖୁସି ହେଲେ। ଏତେ ସବୁ ପିଠା, ମିଠା ଓ ଫଳର ସମ୍ଭାର ଦେଖି ସେ କହିଲେ, ଏ ସବୁ ଆଣୁଥିଲୁ କାହିଁକି? ଆମେ ଦିଜଣ ଯାକ ତ ଡାଇବେଟିସ୍‌ ରୋଗୀ ଏଗୁଡ଼ା ଖାଇବ କିଏ ? ମୁଁ ତାଙ୍କୁ କହିଲି, ଆମେ କ’ଣ ତୋ ପାଇଁ ଆଣିଛୁ, ପିଲାମାନେ ଖାଇବେନି? ସେ ହସିହସି କହିଲେ, ଆମ ପାଇଁ ଆଣିଛୁ କହିଥିଲେ ବି ଚଳିଥାନ୍ତା , ହେଲେ ପିଲାଙ୍କ ପାଇଁ ଆଣିଛୁ ବୋଲି ଯାହା କହିଲୁ ସେଇଟା ହେଲା ବିଡ଼ମ୍ବନା! ପିଲାଏ କ’ଣ ଆଜିକାଲି ଏ ଘର ତିଆରି ଖାଦ୍ୟ ଆଉ ଖାଉଛନ୍ତି? ତାଙ୍କର ସବୁ ପିଜା, ବର୍ଗର, ଚାଉମିନ୍‌, ମୋମୋରେ ମତଲବ।
ବନ୍ଧୁପତ୍ନୀ ଚା’ ପାଣି ଆଣି ଦେଉଦେଉ କହିଲେ, ପିଲାଙ୍କ ଖାଦ୍ୟ ପ୍ରଣାଳୀ ବଦଳିଗଲାଣି। ଆଜିକାଲି ତ ସମସ୍ତଙ୍କର ଘରେ ଗୋଟିଏ ଦୁଇଟି ଛୁଆ। ସବୁ ବାପାମା’ ପିଲାମାନଙ୍କୁ ଏତେ ଗେଲବସରରେ ବଢ଼ାଉଛନ୍ତି ଯେ ସେମାନେ ଯାହା ଚାହୁଁଛନ୍ତି ତାଙ୍କ ପାଇଁ ଖଞ୍ଜିଦିଆଯାଉଛି। ଘରେ ସେମାନେ ଯାହା ଖାଇବାକୁ ଚାହୁଁଛନ୍ତି ତାଙ୍କ ରୁଚି ଅନୁସାରେ ରୋଷେଇ ହେଉଛି। ଯଦି ତାଙ୍କର ସେସବୁ ପସନ୍ଦ ନ ହେଲା ତାଙ୍କୁ ତାଙ୍କ ମନପସନ୍ଦର ଖାଦ୍ୟ ହୋଟେଲରୁ ମଗାଇ ଦେବାକୁ ପଡୁଛି! ନ ହେଲେ ସେମାନେ ହୁଲସ୍ତୂଲ କରିବେ। ପିଲା ବି ଆଜିକାଲି ଏତେ ଚାଲାକ ହେଲେଣି ଯେ ସେମାନେ ଜମାଟୋ ଓ ସ୍ବିଗିରୁ ନିଜେ ନିଜ ପସନ୍ଦର ଖାଦ୍ୟ ମଗାଇ ଦେଉଛନ୍ତି। ତେଣିକି ତମେ ପାର୍ସଲ ନ ରଖି କି ଯିବ କୁଆଡ଼େ। ଆମ ସମୟରେ ଆମେ ଅତିବେଶିରେ ମୋଗଲାଇ ଖାଦ୍ୟ କଥା ଜାଣିଥିଲେ। ହୋଟେଲକୁ ଗଲେ କଣ୍ଟିନେଣ୍ଟାଲ ଖାଦ୍ୟ ମିଳୁଥିଲା। ଆଜିକାଲି ତ ରାସ୍ତାଘାଟରେ ଠେଲାଗାଡ଼ିରେ ବା ଫୁଡ୍‌ଟ୍ରକ୍‌ରେ ଥାଇ,ମେକ୍ସିକାନ୍‌ ଆଦି ଫୁଡ୍‌ ମିଳୁଛି। ସେମାନଙ୍କ ପାଖରେ ବିକଳ୍ପ ବହୁତ। ତେଣୁ ଆମ ସମୟରେ ପିଲା ଯେମିତି ବାଧ୍ୟବାଧକତାରେ ଘରେ ରନ୍ଧା ହୋଇଥିବା ଭାତ ଡାଲି ତରକାରି ବା ରୁଟି ଡାଲମା, ସନ୍ତୁଳା ଖାଉଥିଲେ, ସେ ସ୍ଥିତି ଆଉ ନାହିଁ। ସେତେବେଳେ ପିଲାଙ୍କ ହାତକୁ କୋଉଠୁ ଦିପଇସା ଆସୁଥିଲେ ସେମାନେ ପାଖ ଦୋକାନରୁ ବରା, ଗୁଲୁଗୁଲା, ପିଆଜୀ ବା ଦହିବରା, ଗୁପ୍‌ଚୁପ୍‌ ଖାଉଥିଲେ। ମିଠା ଭିତରେ ଲଡୁ, ଜିଲାପି, ଗଜା ବା ପୋଡ଼। ଆଜିକାଲିକା ପିଲା ସେଗୁଡ଼ା ଦେଖିଲେ ନାକ ଟେକୁଛନ୍ତି। ପିଲା ବର୍ଷକର ନ ହେଉଣୁ ମ୍ୟାଗିର ବାସ୍ନାରେ ନିଦରୁ ଉଠିପଡୁଛି। ତାକୁ ଆଉ ସିମେଇ ଖିରି ବା ସୁଜି ଖିରି ଦେଲେ ରୁଚୁଛି ଯେ ସେ ଖାଇବ ? ଆଉ ପର୍ବପର୍ବାଣିରେ ଘରେ ଯୋଉ ଚକୁଳି, ମଣ୍ଡା, କାକରା ଆଦି ପିଠା ହେଉଥିଲା ତାକୁ ତ ପିଲାଏ ପାଟିରେ ଜମା ଦେଉନାହାନ୍ତି!
ମୁଁ ଭାବିଲି ସତ କଥା ତ! ଖାଲି ସେଇ ବନ୍ଧୁଙ୍କ ଘରେ ନୁହେଁ, ଘରେ ଘରେ ଆଜି ଏଇ ବ୍ୟବସ୍ଥା ଚାଲିଛି। ପିଲାଏ କ’ଣ ଚାହୁଁଛନ୍ତି ସେଇ ଅନୁସାରେ ଘର ଚାଲୁଛି। ସେମାନେ କ’ଣ ଖାଇବେ ସେଇ ଅନୁସାରେ ଘରେ ରୋଷେଇ ହେଉଛି। ପର୍ବପର୍ବାଣିରେ କ’ଣ ପିନ୍ଧିବେ ସେମାନେ ନିଜେ ସ୍ଥିର କରୁଛନ୍ତି। ଘରେ ତାଙ୍କ ରୁମ୍‌ରେ କ’ଣ କଲର ଦିଆଯିବ ସେମାନେ ସ୍ଥିର କରୁଛନ୍ତି। ଛୁଟି କଟେଇବାକୁ ଯଦି କୁଆଡ଼େ ଯିବାର ଅଛି ଜାଗା ସେମାନେ ସ୍ଥିର କରୁଛନ୍ତି। ଛୁଟିଦିନରେ ଯଦି ହୋଟେଲରେ ଖାଇବାକୁ ଯିବାକୁ ମନ ହେବ କୋଉ ହୋଟେଲକୁ ଯିବା ସେମାନେ ସ୍ଥିର କରୁଛନ୍ତି! କୋଉ ଗେମ୍‌ ସେମାନେ ଖେଳିବେ କୋଉ ସିରିଏଲ୍‌ ବା ଟିଭି ଶୋ ଦେଖିବେ, କୋଉ ସ୍କୁଲରେ ପଢ଼ିବେ ସେକଥା ବି ପିଲା ସ୍ଥିର କରୁଛନ୍ତି। ପିଲାମାନଙ୍କ ଜୀବନରେ ସ୍ବାଧୀନତା ବଢ଼ିଛି । ତାଙ୍କ ମନ ପସନ୍ଦର ନିଷ୍ପତ୍ତି ନେବାପାଇଁ ସେମାନେ ଚାହୁଁଛନ୍ତି। କେହି ତାଙ୍କ ଉପରେ କିଛି ଲଦିଦେବ ଏକଥା ସେମାନେ ଗ୍ରହଣ କରୁନାହାନ୍ତି। ଅଭିଭାବକମାନଙ୍କର ପିଲାଙ୍କ ଜୀବନରେ ହସ୍ତକ୍ଷେପ କରିବାର ବା ନିଷ୍ପତ୍ତି ନେବାର ସ୍ବାଧୀନତା ମଧ୍ୟ ଆନୁପାତିକ ଭାବେ କମିଛି।
ଆମ ପିଲାବେଳେ ଆମେ ବାପାମା’ ଯୁଆଡ଼େ ଯାଉଥିଲେ ତାଙ୍କ ସହ ଯାଉଥିଲୁ। ଯାହା ସେମାନେ ଖାଇବାକୁ ଦେଉଥିଲେ ଖାଉଥିଲୁ। ଯାହା ସେମାନେ ପିନ୍ଧିବା ପାଇଁ କିଣୁଥିଲେ ଆମେ ନିର୍ବିବାଦରେ ପିନ୍ଧୁଥିଲୁ। ପିଲାଙ୍କର ଗୋଟେ ବ୍ୟକ୍ତିତ୍ୱ ଥାଏ ବୋଲି କେହି ଚିନ୍ତା କରି ନ ଥିଲେ। ମାତ୍ର ଏବେ ଲକ୍ଷ୍ୟ କରିବେ ଆମେ କୁଆଡ଼େ ଭୋଜିଭାତ ବା ବାହାଘର ଆଦି ଉତ୍ସବକୁ ଗଲେ ପିଲାଏ ଆମ ସହ ଯିବାକୁ ରାଜି ହେଉନାହାନ୍ତି। ସେମାନଙ୍କର ଯୁକ୍ତି ହେଲା ଆମ ସମାସ୍କନ୍ଧ କେହି ସେଠି ନ ଥାଇପାରନ୍ତି , ଆମେ ସେଠିକି କାହିଁକି ଯିବୁ , ବୋର୍‌ ହେବାକୁ ? ଚାଲ ଅନ୍ତତଃ ଖାଇଦେଇ ଆସିବା କହିଲେ ସେମାନେ ଓଲଟା କହୁଛନ୍ତି, ଆମ ପାଇଁ କ’ଣ ମଗେଇଦିଅ ଆମେ ଘରେ ଖାଇଦେବୁ ପଛେ ସେଠିକି ଯାଇ ବୋର୍‌ ହୋଇପାରିବୁନାହିଁ। ପିଲା ଟିକେ ବଡ଼ ଥିବେ ଯଦି ସିନା ତାଙ୍କୁ ଛାଡ଼ି ଯାଇହେବ , ଛୋଟ ଥିଲେ ତାଙ୍କୁ ତାଙ୍କ ଇଚ୍ଛା ବିରୁଦ୍ଧରେ ନେଇହେବ ନା ଛାଡ଼ିକି ଯାଇହେବ ! ବାଧ୍ୟକରି ନେଇକି ଗଲେ ସେଠି ସେମାନେ ଏଭଳି ମୁହଁ ଫୁଲେଇ ବୁଲିବେ ଯେ ଆପଣଙ୍କୁ ଲାଗିବ ତାକୁ ବାଧ୍ୟକରି ଆଣିକି ଗୋଟେ ବଡ଼ ଅପରାଧ ହେଲା।
ଏଥିରୁ ଆଉ ଫେରିବାର ବାଟ ମଧ୍ୟ ନାହିଁ ଭଳି ଲାଗୁଛି। ପ୍ରଥମେ ଆମେ ଯୌଥ ପରିବାର ଦେଖିଥିଲେ। ସେଠି ଜେଜେ ଜେଜେମା’ଙ୍କ ଠାରୁ ଆରମ୍ଭକରି ଦାଦାଖୁଡ଼ୀ, ବଡ଼ବାପା ବଡ଼ମା’,ବାପାବୋଉଙ୍କ ସହ ପିଲାଟି ରହୁଥିଲା। ତା’ପରେ ଯୌଥ ପରିବାର ଭାଙ୍ଗି ଅଣୁ ପରିବାର ହୋଇଗଲା ଯୋଉଥିରେ ବାପାମା’ ଓ ପିଲାମାନେ ରହିଲେ। ସ୍ବାଧୀନତାର ଇଏ ଥିଲା ପ୍ରଥମ ଚରଣ। ସେ ପରିବାର ଭିତରେ ବି ସ୍ବାମୀ ସ୍ତ୍ରୀ ଯେ ଯାହାର ନିଜର ସ୍ବାଧୀନତା ବଜାୟ ରଖିବାକୁ ଚାହିଁଲେ , ନିଜ ନିଜ ନିଷ୍ପତ୍ତି ନେଲେ। କେହି ଅନ୍ୟର ରୁଚି ଅରୁଚି, ଉପଦେଶ ବା ପରାମର୍ଶ ଗ୍ରହଣ କରିବାକୁ ଚାହିଁଲେନି !
ଘରର ଏଇ ପରିବେଶରେ ବଢ଼ିଥିବା ପିଲା କାହିଁକି ବା ବାପାମା’ଙ୍କର ରୁଚି, ଅରୁଚି, ଉପଦେଶ ବା ପରାମର୍ଶ ଗ୍ରହଣ କରନ୍ତା! ସେ ତା’ର ନିଜର ରୁଚିକୁ ନେଇ ବଢ଼ିବାକୁ ଚାହିଁଲା। ନିଜ ସ୍ବାଧୀନତାର ସେ ପୂର୍ଣ୍ଣ ଉପଯୋଗ କରିବାକୁ ଚାହିଁଲା।
ପିଲାମାନଙ୍କୁ ମିଳୁଥିବା ଏ ଅହେତୁକ ସ୍ବାଧୀନତା ଅନେକ ସମୟରେ ତାଙ୍କ ସ୍ବେଚ୍ଛାଚାରିତାର ବାଟ ଖୋଲିଦେଉଛି। ସେମାନେ ଅସ୍ବାଭାବିକ ଭାବେ ଜିଦ୍‌ଖୋର ପାଲଟିଯାଉଛନ୍ତି। ଛୋଟ ଛୋଟ ପିଲା ମଧ୍ୟ ଅଣୁ ପରିବାର ଭିତରେ ରହି କାହା ସହ ଭାବର ଆଦାନ ପ୍ରଦାନ ପାଇଁ ସୁଯୋଗ ପାଉନାହାନ୍ତି। ବନ୍ଧୁବାନ୍ଧବ ଏପରିକି ରକ୍ତସମ୍ପର୍କୀୟମାନଙ୍କୁ ଚିହ୍ନୁନାହାନ୍ତି। ଚିହ୍ନିବା ପାଇଁ ଆଗ୍ରହ ମଧ୍ୟ ଆମେ ସୃଷ୍ଟି କରିପାରୁନେ। ଅତିରିକ୍ତ ରକ୍ଷଣଶୀଳ ହୋଇ କେତେଜଣ ଅଭିଭାବକ ନିଜ ପିଲାଙ୍କୁ ପାଖ ପଡ଼ୋଶୀଙ୍କ ଘରକୁ, ସାଙ୍ଗସାଥୀଙ୍କ ମେଳରେ ଖେଳିବା ପାଇଁ ଛାଡୁନାହାନ୍ତି। ଫଳରେ ପିଲା କରିବେ କ’ଣ ? ଦିନରାତି ଟିଭିକୁ ଚାହିଁ ବସି ରହୁଛନ୍ତି। ଏବେ ତ ପିଲାଏ ଲାପ୍‌ଟପ୍‌ , ମୋବାଇଲକୁ ମଧ୍ୟ ପାଖରୁ ଛାଡ଼ୁନାହାନ୍ତି । ଦିନରାତି ସେଥିରେ ଉପଲବ୍ଧ ଥିବା ନାନାଦି ଗେମ୍‌ରେ ବୁଡ଼ିରହୁଛନ୍ତି। ମଝିରେ ମଝିରେ ଶୁଣୁଥିବେ କେତେଜଣ ପିଲା ଏଇ ଅନ୍‌ଲାଇନ ଗେମ୍‌ ଗୁଡ଼ିକର କରାଳଚକ୍ରରେ ପଡ଼ି ବ୍ଲେଡ୍‌ରେ ନିଜ ଶିରା କାଟିଦେବାଠାରୁ ଆରମ୍ଭକରି ଆତ୍ମହତ୍ୟାର ଅନ୍ୟାନ୍ୟ ବିଭିନ୍ନ ପନ୍ଥା ଆପଣାଉଛନ୍ତି। ପିଲାମାନଙ୍କ ଏଇଭଳି ଖୁସିକୁ ନେଇ ଆମେ କହିପାରିବା କି ଯେ ପିଲାଙ୍କ ଖୁସି ପାଇଁ ଆମେ ସବୁ ଖଞ୍ଜିଦେଇଛୁ? ଆମେ କହିପାରିବା କି ଯେ ପିଲାଙ୍କ ଖୁସିରେ ଆମ ଖୁସି?
ଏଇଭଳି ବଢ଼ୁଥିବା ପିଲାଙ୍କ ଭବିଷ୍ୟତ ବି କ’ଣ? ମୁଁ ଜାଣିବାରେ ଅଭାବ ଭିତରେ ବଢ଼ିଥିବା ପିଲାଙ୍କ ଭିତରେ ଗୋଟେ ଉତ୍ସାହ ଥାଏ ଜୀବନରେ କିଛି ହାସଲ କରିବାକୁ। ଯେଉଁମାନେ ଅତି ପ୍ରାଚୁର୍ଯ୍ୟ ଭିତରେ ବଢୁଛନ୍ତି ସେମାନଙ୍କର ସେ ଉତ୍ସାହ ବା ରହିବ କାହିଁକି ? ସେମାନେ ଜାଣିଛନ୍ତି ତାଙ୍କର ଜୀବନଯାକ ପାଇଁ ଯାହା ଦରକାର ବାପା ମା’ ସବୁ ଖଞ୍ଜିଦେଇ ସାରିଛନ୍ତି। ତା’ର କେବଳ ଅୟସ କରିବା କଥା, ସମୟ କାଟିବା କଥା। ବ୍ୟକ୍ତି ସ୍ବାଧୀନତାର ଏ ଯୁଗରେ ପିଲାଙ୍କୁ ଆମେ ଅନେକ ସ୍ବାଧୀନତା,ସୁଖ ଓ ସ୍ବାଚ୍ଛନ୍ଦ୍ୟ ଦେଇଛେ। କେବଳ ଲୋଡ଼ା କିଛି ଅନୁଶାସନ , କିଛି ନିୟନ୍ତ୍ରଣ ଯାହା ବିନା ସେମାନେ ଅମାନବୀୟ, ଅସାମାଜିକ ପାଲଟିଯିବା ସମ୍ଭାବନା ଅଛି ଏକଥା ଅନସ୍ବୀକାର୍ଯ୍ୟ। ସେଇ ଅନୁଶାସନ ଓ ନିୟନ୍ତ୍ରଣ ହୁଏତ ତାଙ୍କୁ ଜୀବନରେ ଶୃଙ୍ଖଳିତ ଓ ଦାୟିତ୍ୱବାନ୍‌କରି ଗଢ଼ି ତୋଳିପାରେ!
ମୋ:୯୪୩୭୨୮୬୫୧୨


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭାରେ ରେଳସେବା ସମସ୍ୟା ପ୍ରସଙ୍ଗ ଉଠାଇଲେ ବରଗଡ଼ ଏମ୍‌ପି

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ଗୁରୁବାର ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଲୋକ ସଭାରେ ଉଠାଇଛନ୍ତି। ବିଶେଷକରି ରେଳସେବାର ବିକାଶ ଓ…

ବାସନ୍ତୀକ ନବରାତ୍ର ପୂଜା: ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ଆଜି ଚୈତ୍ର ଅମାବାସ୍ୟା ଯୁକ୍ତ ପ୍ରତିପଦା। ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ…

ମହାପ୍ରଭୁଙ୍କ ଜମିର ଧାନବିକ୍ରି ପଞ୍ଜୀକରଣକୁ ନା: ଏବେଠାରୁ ଘାରିଲାଣି ଧାନବିକ୍ରି ଚିନ୍ତା

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଶୁକ୍ରବାର ଏଥିପାଇଁ ଆବେଦନ ଅବଧି ସରିଯିବ। ଅନ୍ୟପଟେ ବରଗଡ଼ ଜିଲାର ଅନେକ ଚାଷୀ…

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri