ବରଯାତ୍ରୀଙ୍କ ଖୁସି ଛଡାଇନେଲା…

ବିଜେପୁର, ୧୭।୨: ବରଗଡ଼ ଜିଲା ବିଜେପୁର ଥାନା ଅଧୀନ ସରଣ୍ଡାପାଲି ନିକଟ ରାଞ୍ଜ ନଦୀ ବ୍ରିଜ୍‌ ତଳକୁ ଏକ ବରଯାତ୍ରୀ ଅଟୋ ଖସିପଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଜଣ ଗୁରୁତର ହୋଇଛନ୍ତି । ମୃତକ ଦ୍ୱୟ ହେଲେ ବରଗଡ଼ ରୋହିଣୀଆର ଯଦୁ ମିରିଗ (୪୬) ଓ ମେଲଛାମୁଣ୍ଡା ଥାନା ପତ୍ରାପାଲିର ଘନଶ୍ୟାମ ମେହେର (୩୦) । ଖବର ପାଇ ବିଜେପୁର ପୋଲିସ ଘଟଣାସ୍ଥଳକୁ ପହଞ୍ଚତ୍ ଆହତମାନଙ୍କୁ ଉଦ୍ଧାର କରି ବୁର୍ଲା ଭିମ୍‌ସାର ପଠାଇବା ସହ ମୃତଦେହ ବ୍ୟବଚ୍ଛେଦ କରାଇଛି। ଦୁର୍ଘଟଣାଗ୍ରସ୍ତ ଅଟୋକୁ ଜବତ କରାଯାଇ ଘଟଣାର ଅଧିକ ତଦନ୍ତ ଚାଳିଥିବା ଏଏସ୍‌ଆଇ ଟଙ୍କଧର ବରିହା କହିଛନ୍ତି ।
ପୋଲିସ ସୂଚନା ମୁତାବକ, ଘନଶ୍ୟାମ ମାମୁଁ ଘରର ଏକ ବିବାହ କାର୍ଯ୍ୟରେ ଯୋଗଦେବାକୁ ବରଗଡର ରୋହିଣୀଆକୁ ଯାଇଥିଲେ। ମଙ୍ଗଳବାର ସେ ନିଜ ସମ୍ପର୍କୀୟଙ୍କ ସହିତ ଏକ ଅଟୋ (ନଂ.ଓଡି୧୭ଜି/୫୭୬୩) ଯୋଗେ ବିଜେପୁରକୁ ବରଯାତ୍ରୀ ଆସିଥିଲେ। ବିବାହ ଭୋଜି ଖାଇ ସେମାନେ ରୋହିଣୀଆକୁ ଫେରୁଥିବା ବେଳେ ଅଟୋଟି ଭାରସାମ୍ୟ ହରାଇ ରାଞ୍ଜ ନଦୀ ବ୍ରିଜ୍‌ରୁ ୨୫ ଫୁଟ୍‌ ତଳକୁ ଖସିପଡିଥିଲା। ଫଳରେ ଘଟଣାସ୍ଥଳରେ ଘନଶ୍ୟାମ ଓ ଯଦୁଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଅଟୋ ଚାଳକ ଈଶ୍ୱର ଲହଣ୍ଡିଙ୍କ ସମେତ ୭ଜଣ ଗୁରୁତର ହୋଇଥିଲେ।