ଜିଲାପାଳଙ୍କ କାର୍ଯ୍ୟାଳୟକୁ ମା’ କାନ୍ଧରେ ବୁହା ହୋଇ ଆସିଲେ ଦିବ୍ୟାଙ୍ଗ

ବୌଦ୍ଧ,୧୫ା୭(ସ୍ବ.ପ୍ର.): ସରକାର ବିଭିନ୍ନ ଉନ୍ନୟନମୂଳକ ଯୋଜନା କାର୍ଯ୍ୟକାରୀ କରୁଥିବା ଡିଣ୍ଡିମ ପିଟୁଥିବା ବେଳେ ଅସହାୟ ଗରିବ ଲୋକେ କିପରି କରୁଣ ସ୍ଥିତିରେ ରହୁଛନ୍ତି ତାର ଜ୍ୱଳନ୍ତ ଉଦାହରଣ ବୌଦ୍ଧ ଜିଲାରେ ଦେଖିବାକୁ ମିଳିଛି। ଗୁରୁବାର ଜଣେ ଦିବ୍ୟାଙ୍ଗ ମହିଳା ରାଶନ କାର୍ଡ ପାଇବା ପାଇଁ ଗୁହାରି କରିବାକୁ ନିଜ ବୁଢୀ ମା’ କାନ୍ଧରେ ବସି ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିବା ଘଟଣା ଜିଲାରେ ସରକାରୀ ଯୋଜନାର କାର୍ଯ୍ୟକାରିତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ବୌଦ୍ଧ ବ୍ଲକ ବ୍ରାହ୍ମଣପାଲି ପଞ୍ଚାୟତ ଭୁକ୍ତାପଡା ଗ୍ରାମର ତରଙ୍ଗିନୀ ଉର୍ମା (୪୦) ଜଣେ ଦିବ୍ୟାଙ୍ଗ। ସେ ଚଲାବୁଲା କରିପାରନ୍ତି ନାହିଁ। ଫଳରେ ସେ ବିଧବା ବୁଢୀ ମା’ଙ୍କ ସାହାରାରେ ଚଳି ଆସୁଛନ୍ତି। ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଦିନକୁ ଦିନ ଚଳିବା କଷ୍ଟକର ହୋଇପଡିଛି। ଏଭଳି ପରିସ୍ଥିତିରେ ତାଙ୍କ ପାଇଁ ସରକାରୀ ଯୋଜନା ଅପହଞ୍ଚ ହୋଇଛି। ୩୫ କେଜି ଚାଉଳ ପାଇବା ପାଇଁ ଏକ ରାଶନ କାର୍ଡ ପ୍ରଦାନ କରିବାକୁ ବହୁବାର ବ୍ଲକ ଓ ପଞ୍ଚାୟତ କାର୍ଯ୍ୟାଳୟକୁ ଧାଇଁ ଧାଇଁ ନିରାଶ ହେବା ପରେ ଶେଷରେ ମା’ଙ୍କ କାନ୍ଧରେ ବସି ଗୁହାରି କରିବାକୁ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଗଁାରୁ ବସ୍‌ରେ ଆସି ବୌଦ୍ଧ ବସ୍‌ଷ୍ଟାଣ୍ଡରୁ ପ୍ରାୟ ୨ କି.ମି. ଦୂର ଚାଲିଚାଲି ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିଲା। ତରଙ୍ଗିନୀ ଏନେଇ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଥିବା ବେଳେ କେବଳ ରାଶନ କାର୍ଡ ଖଣ୍ଡିଏ ପ୍ରଦାନ କଲେ ପେଟକୁ ଦୁଇମୁଠା ଖାଦ୍ୟ ମିଳିପାରନ୍ତା ବୋଲି କୋହଭରା କଣ୍ଠରେ ପ୍ରକାଶ କରିଥିଲେ।