ସରକାର ଆଗୁଆ ପ୍ରସ୍ତୁତ ହୋଇଥିଲେ ଏତେ ଖରାପ ଅବସ୍ଥା ହୋଇ ନ ଥାଆନ୍ତା: ବିଜେଡି

ଭୁବନେଶ୍ୱର, ୩୧।୧୦(ସୁନିତ୍‌ ମିଶ୍ର): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପ୍ରବଳ ବର୍ଷା ଓ ସମ୍ଭାବ୍ୟ ବନ୍ୟା ସମ୍ପର୍କରେ ଆଗୁଆ ସତର୍କ ସୂଚନା ଜାରି ହୋଇଥିବା ସତ୍ତ୍ୱେ ଗଞ୍ଜାମ ଓ ଗଜପତି ଜିଲାରେ ବାତ୍ୟା ଏବଂ ବନ୍ୟା ମୁକାବିଲା ପାଇଁ ଆବଶ୍ୟକ ପ୍ରସ୍ତୁତି କରିବାରେ ସରକାର ବିଫଳ ହୋଇଛନ୍ତି। ବାତ୍ୟା ଅର୍ଣ୍ଣବ ଯୋଗୁ ଗଞ୍ଜାମ ଓ ଗଜପତିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସରକାର ଯଦି ଆଗୁଆ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିଥାଆନ୍ତେ ତେବେ ଏପରି ଅବସ୍ଥା ହୋଇ ନ ଥାଆନ୍ତା ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି।
ଶଙ୍ଖ ଭବନଠାରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ପ୍ରମିଳା କହିଛନ୍ତି, ବିଶେଷକରି ଜଳଭଣ୍ଡାର ପରିଚାଳନା, ଜଳ ନିଷ୍କାସନ ବ୍ୟବସ୍ଥା ଏବଂ ଦୁର୍ବଳ ନଦୀବନ୍ଧଗୁଡିକର ମରାମତି ଉପରେ ଗୁରୁତ୍ୱ ଦେବା ଆବଶ୍ୟକତା ଥିଲା। ଗଞ୍ଜାମ ଓ ଗଜପତି ଜିଲାରେ ଅବୈଧ ବାଲି ଉତ୍ତୋଳନ ଯୋଗୁ ଅନେକ ନଦୀବନ୍ଧ କ୍ଷତିଗ୍ରସ୍ତ ହୋଇଥିଲା, ଯାହାଫଳରେ ବନ୍ୟା ବିଭୀଷିକା ସୃଷ୍ଟିହେଲା। ଅତ୍ୟଧିକ ବର୍ଷାହେବା ନେଇ ଆଗୁଆ ସୂଚନା ଥିବା ସତ୍ତ୍ୱେ ସରକାର କାହିଁକି ଆଗୁଆ ପଦକ୍ଷେପ ନେଲେନାହିଁ। ବନ୍ୟା ପ୍ରଭାବିତ ଅଞ୍ଚଳରୁ ପ୍ରାୟ ୫୦ ହଜାର ଲୋକଙ୍କୁ ଉଦ୍ଧାର କରାଯାଇଥିବା ସରକାର ଦାବି କରୁଛନ୍ତି। କିନ୍ତୁ ଉଦ୍ଧାର କାର୍ଯ୍ୟରେ କେତୋଟି ହେଲିକପ୍ଟର ନିୟୋଜିତ ହୋଇଥିଲା ଓ ବନ୍ୟାବିପନ୍ନ ଲୋକଙ୍କୁ କେତେ ସହାୟତା ଯୋଗାଇ ଦିଆଯାଇଛି, ସରକାର ତାହା ସାର୍ବଜନୀନ କରନ୍ତୁ। ବରିଷ୍ଠ ନେତା ପ୍ରତାପ ଜେନା କହିଛନ୍ତି, ସରକାରଙ୍କ ପ୍ରସ୍ତୁତି ଏବଂ ବାସ୍ତବ ସ୍ଥିତି ଭିତରେ ଆକାଶପାତାଳ ଫରକ ରହିଛି। ଅନେକ ବନ୍ୟାବିପନ୍ନ ପରିବାର ପାଖରେ ରିଲିଫ ପହଞ୍ଚିପାରିନାହିଁ। ସରକାର ଯଦି ବନ୍ୟା ପ୍ରଭାବିତ ଲୋକଙ୍କ ପ୍ରତି ଅବହେଳା କରିବେ ତା’ହେଲେ ବିଜେଡି ଗଣତାନ୍ତ୍ରିକ ଆନ୍ଦୋଳନକୁ ଆହୁରି ତୀବ୍ର କରିବ ବୋଲି ପ୍ରତାପ କହିଛନ୍ତି।

Dharitri – Odisha’s No.1 Odia Daily

Share