ନୂଆଦିଲ୍ଲୀ, ୧୮।୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ ମାଉଣ୍ଟ ମାଉଙ୍ଗାନୁଇରେ ଖେଳାଯାଇଥିବା ଚତୁର୍ଥ ଦିନିକିଆ ମ୍ୟାଚ ସମୟରେ ଭାରତୀୟ ଦ୍ରୁତ ବୋଲର ଗୁରନୂର ବରାଡ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)ର ଆଚରଣ ସଂହିତାର ଲେଭଲ-୧ ନିୟମ ଉଲ୍ଲଂଘନ କରିଥିବା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି ମାମଲାରେ ICC ତାଙ୍କୁ ଆନୁଷ୍ଠାନିକ ଭାବେ ଚେତାବନୀ ଦେବା ସହ ତାଙ୍କ ଶୃଙ୍ଖଳାଗତ ରେକର୍ଡରେ ଗୋଟିଏ ଡିମେରିଟ ପଏଣ୍ଟ ଯୋଡ଼ିଛି। ଟିମ ସାଇଫର୍ଟଙ୍କୁ ଆଉଟ କରିବା ପରେ ଗୁରନୂର ଆକ୍ରମଣାତ୍ମକ ଢଙ୍ଗରେ ତାଙ୍କୁ ସେଣ୍ଡ-ଅଫ ଦେଇଥିଲେ।
ପ୍ରକୃତରେ, ଏହି ମ୍ୟାଚରେ ଭାରତୀୟ ଦଳକୁ ପ୍ରଥମ ଉଇକେଟ୍ ପାଇଁ ପୂରା ୧୨ ଓଭର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା। ଶେଷରେ ଗୁରନୂର ଟିମ ସାଇଫର୍ଟଙ୍କୁ ଆଉଟ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଏହାପରେ ଗୁରନୂର ସିଧାସଳଖ ଟିମ ସାଇଫର୍ଟଙ୍କ ସାମ୍ନାକୁ ଯାଇ ଆକ୍ରମଣାତ୍ମକ ଢଙ୍ଗରେ ଚିତ୍କାର କରିଥିଲେ। ଫଳରେ ମଇଦାନରେ ଉତ୍ତେଜନା ବଢ଼ିଯାଇଥିଲା। ପରିସ୍ଥିତି ଗମ୍ଭୀର ହେଉଥିବା ଦେଖି ବିରାଟ କୋହଲି ତୁରନ୍ତ ସେଠାରେ ପହଞ୍ଚି ଗୁରନୂରଙ୍କୁ ଧରି ସାଇଫର୍ଟଙ୍କଠାରୁ ଅଲଗା କରିଥିଲେ।
ଗୁରନୂରଙ୍କ ଏହି କାମକୁ ବ୍ୟାଟରଙ୍କ ପ୍ରତି ଅପମାନଜନକ ଏବଂ ତାଙ୍କୁ ଆକ୍ରମଣାତ୍ମକ ପ୍ରତିକ୍ରିୟା ଦେବାକୁ ଉସୁକାଇବା ଭଳି ଆଚରଣ ବୋଲି ବିବେଚନା କରାଯାଇଛି। ଖେଳାଳି ଓ ସହଯୋଗୀ କର୍ମଚାରୀଙ୍କ ପାଇଁ ଥିବା ICC ଆଚରଣ ସଂହିତାର ଧାରା ୨.୫ ଉଲ୍ଲଂଘନ କରିଥିବାରୁ ଗୁରନୂରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଅନ୍ତର୍ଜାତୀୟ ମ୍ୟାଚରେ କୌଣସି ବ୍ୟାଟର ଆଉଟ ହେବା ପରେ ତାଙ୍କ ପ୍ରତି ଅପମାନଜନକ ଭାଷା, ଆଚରଣ କିମ୍ବା ଇଙ୍ଗିତ ବ୍ୟବହାର କରିବା ସହ ଜଡ଼ିତ ଏହି ନିୟମ।
ଗୁରନୂର ବରାରଙ୍କ ପାଇଁ ଗତ ୨୪ ମାସ ମଧ୍ୟରେ ଏହା ଦ୍ୱିତୀୟ ଶୃଙ୍ଖଳାଗତ ଅପରାଧ। ଏହା ଫଳରେ ତାଙ୍କ ମୋଟ ଡିମେରିଟ ପଏଣ୍ଟ ସଂଖ୍ୟା ଏବେ ୨କୁ ବୃଦ୍ଧି ପାଇଛି।
ICC ଇଣ୍ଟରନ୍ୟାଶନାଲ ପ୍ୟାନେଲ ଅଫ ମ୍ୟାଚ ରେଫରିର ସଦସ୍ୟ ରଞ୍ଜନ ମଦୁଗଲେ ଏହି ଦଣ୍ଡ ପ୍ରସ୍ତାବ ଦେଇଥିଲେ। ଗୁରନୂର ବରାର ଏହି ଦଣ୍ଡକୁ ଗ୍ରହଣ କରିବା ସହ ନିଜ ଭୁଲ ସ୍ବୀକାର କରିଥିଲେ। ତେଣୁ ଏହି ମାମଲାରେ ଆନୁଷ୍ଠାନିକ ଶୁଣାଣିର ଆବଶ୍ୟକତା ପଡ଼ିନଥିଲା।
ICCର ନିୟମ ଅନୁଯାୟୀ, ଲେଭଲ-୧ ନିୟମ ଉଲ୍ଲଂଘନ ପାଇଁ ସର୍ବନିମ୍ନ ଦଣ୍ଡ ଭାବେ ଆନୁଷ୍ଠାନିକ ଚେତାବନୀ ଦିଆଯାଇପାରେ। ସେହିପରି ସର୍ବାଧିକ ଦଣ୍ଡ ଭାବେ ଖେଳାଳିଙ୍କ ମ୍ୟାଚ ଫି’ର ୫୦ ପ୍ରତିଶତ ଜରିମାନା ସହ ତାଙ୍କ ରେକର୍ଡରେ ଗୋଟିଏ କିମ୍ବା ଦୁଇଟି ଡିମେରିଟ ପଏଣ୍ଟ ଯୋଡ଼ାଯାଇପାରେ।