ଗୁଣପୁର,୧।୧୧(ସୁଜାତା ପାଢ଼ୀ): ହରିୟାଣାର ଫରିଦାବାଦଠାରେ ରବିବାର ଆୟୋଜିତ ଅନ୍ତର୍ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଗୁଣପୁର ‘ମହାବୀର ଏ-୧ ଜିମ୍’ର ପ୍ରତିଯୋଗୀମାନେ ଚମତ୍କାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ନିଜର ଶ୍ରେଷ୍ଠ ପ୍ରଦର୍ଶନ ବଳରେ ଏହି ଖେଳାଳିମାନେ ଗୁଣପୁର ତଥା ସମଗ୍ର ଓଡ଼ିଶା ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି।
ଖବରରୁ ପ୍ରକାଶ ଯେ, ଗୁଣପୁର ସହରର କୋଚ୍ ତଥା ଖେଳାଳି ମୁନା ଶବର ୮୦ କେଜି ମାଷ୍ଟର ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ କୁଜେନ୍ଦ୍ରିର ଦିଲ୍ଲୀପ କୁମାର ଶବର ୭୫ କେଜି ମାଷ୍ଟର ବର୍ଗରେ ଏବଂ ଗୁଣପୁରର ନାଗେଶ୍ୱର ଦାସ ୬୭ କେଜି ମାଷ୍ଟର ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି।
କୌଣସି ସରକାରୀ କିମ୍ବା ବେସରକାରୀ ସଂସ୍ଥାର ସାହାଯ୍ୟ-ସହଯୋଗ ନ ପାଇ ମଧ୍ୟ ନିଜ ଉଦ୍ୟମ ଓ ନିଷ୍ଠା ବଳରେ ହରିୟାଣା ଯାଇ ସେମାନେ ଏହି ବିଶାଳ ସଫଳତା ହାସଲ କରିଛନ୍ତି। ଏହି ସଫଳତା ପାଇଁ ରାୟଗଡ଼ା ଜିଲା ସହ ସାରା ରାଜ୍ୟରେ ଖୁସିର ଲହରୀ ଖେଳିଯାଇଛି।
“ଯଦି ଆଗାମୀ ଦିନରେ କୌଣସି ସଂସ୍ଥା କିମ୍ବା ସରକାରଙ୍କ ତରଫରୁ ସାହାଯ୍ୟ-ସହଯୋଗ ମିଳେ, ତେବେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ରାଜ୍ୟ ପାଇଁ ଆହୁରି ଅନେକ ମେଡାଲ ଆଣିବାକୁ ଚେଷ୍ଟା କରିବୁ” ବୋଲି ମୁନା, ନାଗେଶ୍ୱର ଓ ଦିଲ୍ଲୀପ ପ୍ରକାଶ କରିଛନ୍ତି। ସ୍ୱର୍ଣ୍ଣ ପଦକ ବିଜେତା ଏହି ୩ ଜଣ ଖେଳାଳି ଆସନ୍ତା ମଙ୍ଗଳବାର ରାୟଗଡ଼ା ରେଳବାଇ ଷ୍ଟେଶନରେ ପହଞ୍ଚିବା ପରେ ସେମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବାର କାର୍ଯ୍ୟକ୍ରମ ରହିଛି।